ଏଣିକି ସାଧାରଣ ଲୋକଙ୍କ ମୁଣ୍ଡରୁ ହଟିବ ଟ୍ରାଫିକ ସମସ୍ୟା । ସହରରେ ‘ଜିରୋ ଟ୍ରାଫିକ’ ନିୟମକୁ ପ୍ରତ୍ୟାହାର କରିବା ପାଇଁ କରାଯାଉଛି ବ୍ୟବସ୍ଥା । ଏହି ନିୟମ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡୁଥିବାରୁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ଟ୍ୱିଟ କରି ଏ ନେଇ ନିଜ ମତବ୍ୟକ୍ତ କରିଛନ୍ତି । ଏହାସହିତ ସେ ଆହୁରି ଏକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ଫୁଲତୋଡା ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ଏକ କଠୋର ନିଷ୍ପତ୍ତି ଶୁଣାଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ।
ସେହିପରି ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜଣାଇବା ପରମ୍ପରାରେ ମଧ୍ୟ ସେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏଣିକି ଫୁଲତୋଡା କିମ୍ବା ସାଲ୍ ନୁହେଁ, ବରଂ ପୁସ୍ତକ ଦେଇ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି ଯେ, ସମ୍ମାନର ନିଦର୍ଶନ ସ୍ୱରୂପ ଲୋକେ ଦେଉଥିବା ସାଲ୍ କିମ୍ବା ଫୁଲତୋଡାରେ ସେ ଗ୍ରହଣ କରିବେ ନାହିଁ । ତେବେ ଏହି ନିଷ୍ପତ୍ତି ଉଭୟ ବ୍ୟକ୍ତିଗତ ଏବଂ ସର୍ବସାଧାରଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ କରାଯିବ । ଉପହାର ଭାବରେ ଶ୍ରଦ୍ଧା ଏବଂ ସମ୍ମାନ ବ୍ୟକ୍ତ କରିବାକୁ ଚାହୁଁଥିଲେ ଫୁଲତୋଡା ଏବଂ ସାଲ୍ ଦେବା ପରିବର୍ତ୍ତେ ଗୋଟିଏ ପୁସ୍ତକ ଦେଇ ସ୍ୱାଗତ ଜଣାଇଲେ ମୁଁ ବେଶୀ ଖୁସି ହେବି ବୋଲି ସେ ପ୍ରକାଶ କରିଛନ୍ତି ।ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ସିଦ୍ଦରମେୟା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ଜିରୋ ଟ୍ରାଫିକ’ ନିୟମକୁ ପ୍ରତ୍ୟାହାର କରିବା ପାଇଁ ବେଙ୍ଗଲୁରୁ ପୋଲିସକୁ କହିଛନ୍ତି । ଏହି ନିୟମ ଜନସାଧାରଣଙ୍କୁ ଅସୁବିଧାରେ ପକାଉଥିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ଟ୍ୱିଟ କରି ସେ ଲେଖିଛନ୍ତି ଯେ, ‘ଜିରୋ ଟ୍ରାଫିକ’ ଲାଗୁ ହୋଇଥିବା ରାସ୍ତାରେ କଟକଣା ଯୋଗୁଁ ଯାତାୟତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ସେ ଏଭଳି ଏକ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।