ମୋ ଭୁଲ ପାଇଁ ମୁଁ ତିନି ଦିନ ଉପବାସ ରହିବି

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅପମାନିତ ହେବା ପରେ କ୍ଷମା ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ଏହା ମୋ ପାଟିରୁ ଭୁଲ ବସତଃ ବାହାରିଯାଇଛି । ସେଥିପାଇଁ ମୁଁ ବହୁତ ଦୁଃଖିତ । ଏହି ଭୁଲର ପଶ୍ଚାତାପ ପାଇଁ ମୁଁ ୩ଦିନ ଯାଏଁ ଉପବାସ ରହିବି ବୋଲି କହିଛନ୍ତି ସମ୍ବିତ ।

ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏକ ଭିଡିଓ ସୋସିଆଲ ଆକାଉଣ୍ଟ ଏକ୍ସରେ ସେୟାର କରିଛନ୍ତି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଭିଡିଓରେ ସମ୍ବିତ କହିଛନ୍ତି, ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ମୁଁ ଯେଉଁ ଭୁଲ କଥା କହିଛି ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ଏଥିପାଇଁ ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି। ମୋର ଏହି  ଭୁଲର ପଶ୍ଚାତାପ କରିବା ପାଇଁ ମୁଁ ଆସନ୍ତା ୩ ଦିନ ଯାଏଁ ଉପବାସ ରହିବି ।

ସୂଚନାଯୋଗ୍ୟ ଯେ, ଗତକାଲି ସକାଳେ ପୁରୀରେ ମୋଦୀଙ୍କ ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ରେ ଯୋଗ ଦେବା ପାଇଁ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲକ୍ଷ ଲକ୍ଷ ଲୋକ ମୋଦୀଙ୍କ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ବୋଲି ସମ୍ବିତ କହିଥିଲେ। ଏହାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି ସମ୍ବିତ ପାତ୍ର। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାଲୋଚନା କରିବା ସହ ସମ୍ବିତଙ୍କ ମନ୍ତବ୍ୟ ନିନ୍ଦନୀୟ ବୋଲି କହିଥିଲେ।

Leave A Reply

Your email address will not be published.