ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରରେ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି । ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।
ହାତରୁ ଶାସନ ଭାର ଗଲା ପରେ ଏବେ ବିରୋଧୀ ସାଜି ସ୍ବର ଉତ୍ତ୍ବଳନ କରିବା ଆରମ୍ଭ କଲେଣି ବିରୋଧୀ ବିଜେଡି । ଓଡିଶା ଓ ଛତିଶଗଡ ବିବାଦକୁ ନେଇ ଏବେ ଅଭିଯୋଗ ଉଠାଇଛନ୍ତି । ଏନେଇ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖିବାକୁ ଆରମ୍ଭ କଲାଣି । ଓଡିଶା ଲୋକେ ପର୍ଯ୍ୟପ୍ତ ପରିମାଣର ପାଣି ପାଉନାହାନ୍ତି । ମହାନଦୀର ଯେଉଁ ଅଂଶ ଦିନେ ଜଳପ୍ଲାବିତ ଥିବା ଏବେ ତାହା ଧିରେଧିରେ ମରୁଭୂମି ପାଲଟି ଗଲାଣି । ତେବେ ଏବେ ରାଜ୍ୟରେ ବିଜେପି ସରକାର ଏହା ସହିତ କେନ୍ଦ୍ର ଓ ଛତିଶଗଡରେ ବି ବିଜେପି ସରକାର ଥିବାରୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ସହଜ ହେବ ବୋଲି କହିଛନ୍ତି ପ୍ରସନ୍ନ ।
ଅନ୍ୟପକ୍ଷରେ ଏହାକୁ ସମାଲୋଚନା କରି ‘ଏଠି ସରକାର ଡବଲ ଇଞ୍ଜିନ ନୁହେଁ, ଏବେ ଏହା ଟ୍ରିପଲ ଇଞ୍ଜିନ’ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏଥର ଓଡିଶାରେ ମହାନଦୀ ପାଣିର ଅସୁବିଧା ହେବ ନାହିଁ ବୋଲି ଟ୍ରିପଲ ଇଞ୍ଜିନ ସରକାର ନିଶ୍ଚିତ କରନ୍ତୁ । ଯଦି ଏହା ନହୁଏ ତାହାଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ମତ ରଖିଛନ୍ତି ତାରା ।
ସେପଟେ ଏଭଳି ମନ୍ତବ୍ୟକୁ କଡା ଜବାବ ଦେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ବିଜେଡିକୁ ତାତ୍ସଲ୍ୟ କରି କହିଛନ୍ତି, ୨୪ ବର୍ଷ ସରକାରରେ ଥିବା ବେଳେ ମହାନଦୀ ପାଣି ସମସ୍ୟା କ’ଣ ନଜରକୁ ଆସୁନଥିଲା । ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି କେବେବି କୌଣସି ସମାଧାନ ପାଇଁ କୌଣସି ବି ବିଭାଗ ପାଖକୁ ଯାଇଛି କି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ଗୋଟେ ସମୟରେ କଂଗ୍ରେସ ବି ସରକାରରେ ଥିଲେ ଆଉ ଗୋଟେ ସମୟରେ ବିଜେଡି ବି ସରକାରରେ ଥିଲା । ହେଲେ ଏ ସମସ୍ୟାକୁ ନେଇ କେବେ ବି କେନ୍ଦ୍ର କିମ୍ବା ଛତିଶଗଡ ସରକାରଙ୍କ ସହ ଆଲୋଚନା ତ ଦୂରର କଥା କେବେ ଅବଗତ ବି କରାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବହୁତ ବିଳମ୍ବ ହୋଇଗଲାଣି , ଓଡିଶା ବହୁତ କ୍ଷତି ମଧ୍ୟ ସହିଲାଣି । ଏବେ ଓଡିଶାର ନୂଆ ସରକାର ଶୀଘ୍ର କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବ ।
ତେବେ ଦେଖାଯାଉ ବିରୋଧୀଙ୍କ ଆହ୍ବାନ ଓ ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେବେ ପୂରଣ କରୁଛନ୍ତି ମୋହନ ସରକାର!