ଜାମିନ୍ ମିଳିବା ପ୍ରସଙ୍ଗରେ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଝଟକା, ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ୍ ମିଳିବା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଝଟକା ମିଳିଛି। ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତରୁ ମିଳିଥିବା ଜାମିନ ‌ଆବେଦନ ଉପରେ ଦେଇଥିବା ରାୟ ଉପରେ ରୋକ ଲଗାଇଛନ୍ତି। ରୋକ୍ ଲାଗିବା ପରେ ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ନିକଟରେ ମଦ ଦୁର୍ନୀତି ମାମଲାରେ କେଜ୍‌ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ କିନ୍ତୁ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ। ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

ସୂଚନାଥାଉକି, ଦିଲ୍ଲୀର ମଦ ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍‌ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ନିକଟରେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟରୁ ଜୁନ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ଏହା ପରେ ସେ ଜୁନ ୨ରେ ଆତ୍ମସମର୍ପଣ କରିଥିଲେ। ତା’ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.