ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼

ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।

ଏବେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଆଉ ସରକାରଙ୍କ ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହାକୁ ସ୍ବୀକାର କରିବାକୁ ନାରାଜ। ତେବେ ଭିତ୍ତିଭୂମୀ ଦୁର୍ବଳ ହୋଇଛି ବୋଲି ଶକ୍ତିମନ୍ତ୍ରୀ ସ୍ବୀକାର କରିଥିଲେ। ରାଜ୍ୟ ସରକାର ଏବେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଛନ୍ତି। ହେଲେ ଟାଟା ପାଓ୍ୱାର ମନମୁଖୀ ଭାବେ ବିଦ୍ୟୁତ କାଟ କରୁଥିବା ଅଭିଯୋଗ ହୋଇଛି। ଆଜି ବିଦ୍ୟୁତ ବିତରଣ କମ୍ପାନୀର ସିଇଓଙ୍କୁ ଡାକି ମୁଖ୍ୟ ଶାସନ ସଚିବ ବୈଠକ କରୁଥିବା ବେଳେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି।

ଛାତ୍ର କଂଗ୍ରେସ ନେତା ୟାସିର ନଓ୍ୱାଜ କହିଛନ୍ତି, ଶକ୍ତିମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜୁଳି କାଟ କଥା କହୁଛନ୍ତି କିନ୍ତୁ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ମନ୍ତ୍ରୀ ଟାଟା କମ୍ପାନୀର ଏଜେଣ୍ଟ ହୋଇ କାମ କରୁଛନ୍ତି। ଯେତେବେଳେ ଶକ୍ତିମନ୍ତ୍ରୀ ବିଜୁଳି କାଟ ହେଉନି ବୋଲି ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି ତେଣୁ ଛାତ୍ର କଂଗ୍ରେସ ଦିନରେ ମନ୍ତ୍ରୀଙ୍କୁ ଲଣ୍ଠନ ଦେଖାଉଛି ବୋଲି ସେ କହିଛନ୍ତି। ବିଜୁଳ ବଳକା ରାଜ୍ୟରେ ଯଦି ଏପରି ଅବସ୍ଥା ତାହେଲେ ସାଧାରଣ ଲୋକ କଣ କରୁଥିବା ଭାବିବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.