ରାସନ କାର୍ଡକୁ ନେଇ ରାଜନୀତି

ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଚାଲିଛି ରାଜନୀତି। ଶାସିତ ଦଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ କରୁଛନ୍ତି ଟାର୍ଗେଟ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆୟକରଦାତା ରାସନ କାର୍ଡ ଓ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ। ଚାଲିଛି ଲଗାତାର କାଉଣ୍ଟର ଆଟାକ।

ଓଡ଼ିଶାରେ ୪ ଲକ୍ଷ ଆୟକରଦାତା ରାସନ କାର୍ଡ ପାଇଥିଲେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି। ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ। ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ। ତେବେ କେତେ ଆୟକରଦାତା ରାସନ କାର୍ଡ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି। ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଜାଲ୍‌ ରାସନକାର୍ଡ ଧାରୀଙ୍କ ଉପରେ ଆକ୍ସନ ହେବା ଦରକାର। ଆୟକର ଦାତା କାର୍ଡ ନେବା ଠିକ୍‌ ନୁହେଁ। ସେହିପରି ଯୋଗାଣ ମନ୍ତ୍ରୀଙ୍କ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ମଧ୍ୟ ବିରୋଧୀ ଟାର୍ଗେଟ କରୁଛନ୍ତି। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ରାସନରେ ଭୂତ କାର୍ଡ କହି ଲୋକଙ୍କୁ ଭୂତାଉଛନ୍ତି ସରକାର। ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ରହିଛି। ଆଧାରକାର୍ଡ ଭାରତ ସରକାରଙ୍କ ସ୍ବୀକୃତ ପାପ୍ତ। ୬ମାସ ହେଲା ରାଜ୍ୟ ସରକାର ଇକେୱାଇସି ଆଳରେ ଗରିବଙ୍କୁ ରାସନ ଦେଉନାହାଁନ୍ତି। ଯଦି ଆଧାର କାର୍ଡ ରାସନ ସହ ସଂଯୋଗ ତେବେ ଭୂତ କାର୍ଡ ଆସିଲା କେଉଁଠୁ। ଯୋଗାଣ ମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଉଛନ୍ତି।

Leave A Reply

Your email address will not be published.