ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ। ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ। ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ। ଯେପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ କାମ ନସରିଛି,  ଏହି ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର୍ ଭୁଶୁଡିବା ଘଟଣାରେ ଏପରି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନର ଲାଇନ ୨ ପ୍ଲାଣ୍ଟରେ କୋଲ୍‌ ହପର ଷ୍ଟ୍ରକ୍‌ଚର ହଠାତ ପଡ଼ି ଯାଇଥିଲା। ନିୟମିତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଖବର ପାଇ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି। ଅନ୍ୟପଟେ ମୃତ ଦଶରଥ ପାତ୍ରଙ୍କ ପରିବାର ସଦସ୍ୟଙ୍କୁ କାରଖାନା ପକ୍ଷରୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାସହ ୧୦ ଲକ୍ଷ ଟଙ୍କା ଇନସ୍ୟୁରାନ୍ସ ଅର୍ଥ ସହ ମୃତକ ଶ୍ରମିକଙ୍କ ପତ୍ନୀଙ୍କୁ କାରଖାନାରେ ଚାକିରି ପ୍ରଦାନ କରାଯିବ। ମୃତକଙ୍କ ଦୁଇଟି ଛୁଆକୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ କାରଖାନା କର୍ତ୍ତୃପକ୍ଷ ବହନ କରିବେ। ଏଥିରେ ପରିବାର ଲୋକ ରାଜି ହେବାରୁ ଦଶରଥ ପାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଉରକେଲା ପଠାଯାଇଛି। ସେପଟେ ସୁଶାନ୍ତ ରାଉତଙ୍କ ପରିବାର ସଦସ୍ୟଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଏବଂ ଦୁଇ ପୁଅଙ୍କୁ ଚାକିରି ପାଇଁ ପ୍ରତିଶ୍ରୁତି ମିଳିଛି।

Leave A Reply

Your email address will not be published.