ଭୁବନେଶ୍ବର: ନବ ଦାସଙ୍କୁ ମାରିଥିଲା କିଏ? ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବଡ ଟୁଇଷ୍ଟ । ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । କେବଳ ଗୋପାଳ ଦାସର ବନ୍ଧୁକ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଫାୟାରିଂ । ଫରେନ୍ସିକ ରିପୋର୍ଟ ବଢାଇଲା ସସପେନ୍ସ । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ସହ ଅଧିକ ଲୋକଙ୍କ ସଂପୃକ୍ତି ସନ୍ଦେହ । ତେବେ ପ୍ରଶ୍ନ ଉଠୁଛି, ନବ ଦାସ ହତ୍ୟା ମାମଲାରେ ଗୋପାଳକୁ ମୋହରା କରାଯାଇଥିଲା କି? ଘଟଣାସ୍ଥଳରେ ସ୍ନାଇପର ନିୟୋଜିତ କରାଯାଇଥିଲା କି ? ହତ୍ୟା ମାମଲା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର?
ଏକାଧିକ ବନ୍ଧୁକରୁ ଗୁଳିମାଡ଼
କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍, ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟାରୀ ବା ଏସଏଫଏସଏଲ ଓ ବାଲାଷ୍ଟିକ ରିପୋର୍ଟ ଅନୁସାରେ, ୨୦୨୩ ଜାନୁଆରୀ ୨୯ତାରିଖରେ ନବ ଦାସଙ୍କ ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡିରେ ନିଜେ ନବ ଦାସ ବସିଥିଲେ ତ ଦ୍ବିତୀୟ ଗାଡିରେ ତାଙ୍କ ସହଯୋଗୀ ବସିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ମୁଖ୍ୟ ଅଭିଯୁକ୍ତ ଗୋପାଳଠାରୁ ୧୮ଟି ଗୁଳି ଥିବା ଏକ ମାଗାଜିନ, ୩ଟି ଜୀବନ୍ତ ଗୁଳି ଜବତ ହୋଇଥିବା କୁହାଯାଇଛି । କ୍ରାଇମସ୍ପଟରୁ ଗୋଟିଏ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ ହୋଇଥିଲା । ଗୋଟିଏ ଗୁଳି ସେ ଶୂନ୍ୟରେ ଫୁଟାଇଥିଲା । ଅର୍ଥାତ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳି ମଧ୍ୟରୁ ୩ଟି ଅବ୍ୟବହୃତ ଥିବା ବେଳେ ବାକି ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମି ଓ ଅନ୍ୟଟି ଶୂନ୍ୟକୁ ମରାଯାଇଥିଲା । ତେବେ ଏସଏଫଏସଏଲ ରିପୋର୍ଟ ଅନୁସାରେ ଦ୍ବିତୀୟ ଗାଡିରେ ଗୁଳି ଦ୍ବାରା ୫ଟି କଣା ରହିଥିଲା। ଏଥିରୁ ଗୋପାଳ ସହ ଅନ୍ୟ ବନ୍ଧୁକରୁ ବି ଗୁଳି ଚାଲିଥିବା ସ୍ପଷ୍ଟ ହୋଇଛି ।
କୁଆଡେ ଗଲା ଖୋକା?
ଏସଏଫଏସଏଲ ରିପୋର୍ଟରେ ଦ୍ବିତୀୟ କାରର ବାମ ପାଖରେ ୫ଟି ଗୁଳି ବାଜିଥିଲେ ବି ଏସବୁ ଗୁଳି କୁଆଡେ ଗଲା? ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି? ସେନେଇ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତଥ୍ୟ ନାହିଁ । ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ଗୋପାଳ ବନ୍ଧୁକର ସମସ୍ତ ଗୁଳିର ହିସାବ ମିଳୁଥିଲେ ମଧ୍ୟ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି ମିଳିପାରିନି । ଗୁଳିଟି ନବ ଦାସଙ୍କ ଛାତିରେ ବାଜି ବାହାରକୁ ବାହାରି ଯାଇଥିଲା । ଫଳରେ ନବଙ୍କ ହାର୍ଟ ଓ ବାମପଟ ଫୁସଫୁସରେ ଗଭୀର ଆଘାତ ଲାଗିଥିଲା । ତେବେ ଏହି ଗୁଳି ନମିଳିବା ଦ୍ବାରା ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି, ସେନେଇ ସ୍ପଷ୍ଟ ହୋଇପାରିନି ।
କାହିଁକି ଜବତ ହେଲାନି ନବଙ୍କ ସାର୍ଟ?
ଗୁଳିମାଡ଼ ପରେ ନବ ଦାସଙ୍କୁ ଉଠାଇ କାର ଭିତରକୁ ନେଇଥିବା ଦ୍ବାରକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ ସହ ନବଙ୍କ ବେକରେ ପଡିଥିବା ଫୁଲମାଳ, ତାଙ୍କ ଚପଲକୁ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ସିଜର ତାଲିକାରେ ଘଟଣା ଦିନ ନବ ଦାସ ପିନ୍ଧିଥିବା ସାର୍ଟ ଓ ସେ ବସିଥିବା କାର ସିଟର ରକ୍ତଭିଜା ଟର୍କିସ ନାହିଁ । ଯାହା ସନ୍ଦେହକୁ ବଢାଉଛି । ଅଭିଯୁକ୍ତ ଗୋପାଳର ମାମଲା ପରିଚାଳନା କରୁଥିବା ଆଇନଜୀବୀ ନରେଶ ନାୟକ ହତ୍ୟାକାଣ୍ଡରେ ସ୍ନାଇପର ନିୟୋଜିତ ହୋଇଥିବା ନେଇ ଆଶଙ୍କା କରିଛନ୍ତି । ସେହିପରି ଗୋପାଳ ବନ୍ଧୁକରୁ ନୁହେଁ ବରଂ ଅନ୍ୟ କୌଣସି ବନ୍ଧୁକରୁ ନବଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ଦିବଂଗତ ବିଜେଡି ନେତା ନବ ଦାସଙ୍କ ହତ୍ୟାକୁ ଦୁଇ ବର୍ଷ ପୂରିବାକୁ ଯାଉଥିବା ବେଳେ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବା ନେଇ ତାଙ୍କ ପରିବାର ଲୋକେ କହିଛନ୍ତି । ଏହାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । ସେପଟେ ଏସଏଫଏସଏଲ ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ହତ୍ୟାକାଣ୍ଡ ଦିନ କେତୋଟି ବନ୍ଧୁକ ବ୍ୟବହାର କରାଯାଇଥିଲା? ଗୋପାଳ ସହ ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ରହିଛି? ହତ୍ୟା ପାଇଁ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା କି? ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା କି? ଦ୍ବିତୀୟ ଗାଡିରେ ନବ ଦାସ ଥିବା ଅନୁମାନ କରି ଗୁଳି ମରାଯାଇଥିଲା କି?