ନିର୍ବାଚନୀ ଇସ୍ତାହାର ଜାରି କଲା ଆପ୍‌; ୧୫ଟି ଗ୍ୟାରେଣ୍ଟି ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୫ରେ ମତଦାନ ହେବ । ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ । ଏହାରି ଭିତରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି ।

ଏହି ଇସ୍ତାହାରରେ କେଜ୍ରିୱାଲ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି । ଏଥିରେ ରହିଛି, ରୋଜଗାର ଗ୍ୟାରେଣ୍ଟି, ମହିଳା ସମ୍ମାନ ଯୋଜନା, ସଂଜୀବନୀ ଯୋଜନା, ପାଣି ବିଲ୍ ଛାଡ, ପ୍ରତ୍ୟେକ ଘରେ ୨୪ ଘଣ୍ଟା ପାଣି, ଯମୁନା ନଦୀକୁ ଆବର୍ଜନ ମୁକ୍ତ, ଡକ୍ଟର ଆମ୍ବେଦକର ସ୍କଲାରସିପ୍ ଯୋଜନା, କଲେଜ ଛାତ୍ରଙ୍କୁ ମାଗଣା ବସ୍ ସୁବିଧା, ପୁଜାରୀମାନଙ୍କୁ ପ୍ରତିମାସ ୧୮ ହଜାର ଟଙ୍କା ପ୍ରଦାନ, ଭଡାଟିଆଙ୍କୁ ମଧ୍ୟ ଫ୍ରିରେ ଇଲେକ୍ଟ୍ରି ଓ ପାଣିର ସୁବିଧା ଯୋଗାଇବା, ଯେଉଁଠାରେ ଅଳିଆ ଅବରୋଧ ହୋଇଛି, ତାହାକୁ ୧୫ ଦିନ ମଧ୍ୟରେ ସଫା କରାଯିବ ଏବଂ ଦେଢ଼ ବର୍ଷ ମଧ୍ୟରେ ପୁରୁଣା ନାଳକୁ ବଦଳାଯିବ, ନୂଆ ରାଶନ କାର୍ଡ, ଅଟୋ-ଟ୍ୟାକ୍ସି-ଇ-ରିକ୍ସା ଚାଳକମାନଙ୍କୁ ସେମାନଙ୍କ ଝିଅର ବିବାହ ପାଇଁ ୧ ଲକ୍ଷ ଟଙ୍କା, ସେମାନଙ୍କ ପିଲାମାନଙ୍କ ପାଇଁ ମାଗଣା କୋଚିଂ ଏବଂ ବୀମାର ସୁବିଧା ମିଳିବ, ଏବଂ ଆରଡବ୍ଲୁଏକୁ ପ୍ରାଇଭେଟ ସିକ୍ୟୁରିଟି ରଖିବାକୁ ଟଙ୍କା ଦେବା ଇତ୍ୟାଦି ।

ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ପୂର୍ବରୁ ଜାରି କରିଥିବା ସମସ୍ତ ଯୋଜନା ମାନ ବଳବତ୍ତର ରହିବ ।

କେଜ୍ରିୱାଲ୍‌ ଦିଲ୍ଲୀରେ ବିଜେପିକୁ କଟାକ୍ଷ କରି ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଚାହୁଁଛି ସେ ମାଗଣା ବିଦ୍ୟୁତ୍, ମାଗଣା ପାଣି, ମାଗଣା ଶିକ୍ଷା ଏବଂ ମାଗଣା ଚିକିତ୍ସା ବନ୍ଦ କରିଦେବାକୁ । କେଜ୍ରିୱାଲ ଲୋକଙ୍କୁ କହିଥିଲେ ଯେ ଯଦି ଆପଣମାନେ ବିଜେପିକୁ ଭୋଟ ଦିଅନ୍ତି, ତେବେ ଆପ୍ ସରକାର ଯୋଗୁଁ ଆପଣମାନେ ପାଉଥିବା ୨୫ ଟଙ୍କାର ଲାଭ ବନ୍ଦ ହୋଇଯିବ ।

Leave A Reply

Your email address will not be published.