କୋଲକାତା: ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।
ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ଝିଅର ପାଠପଢା ଓ ଲାଳନପାଳନ ପାଇଁ ଟଙ୍କା ଯୋଗାଡ଼ କରିବା ପାଇଁ ସ୍ୱାମୀଙ୍କୁ ୧୦ ଲକ୍ଷ ଟଙ୍କାରେ ତାଙ୍କର କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ଗୋଟିଏ ବର୍ଷ ଧରି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ତାଙ୍କର କିଡନୀ ବିକ୍ରି କରି କିଛି ଟଙ୍କା ରୋଜଗାର କରିବାକୁ ଚାପ ଦେଉଥିଲେ। ମହିଳା ଜଣକ କିଡନୀ ବିକ୍ରୀ ପାଇଁ ଗ୍ରାହକ ଯୋଗାଡ କରିଥିଲେ।
ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ବିଶ୍ୱାସ କରି କିଡନୀ ଦେବା ପାଇଁରାଜି ହୋଇଯାଇଥିଲେ। ସର୍ଜରୀ ସରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଆସିଥିଲେ।
ଗୋଟିଏ ଦିନ ସ୍ତ୍ରୀ ଜଣକ ହଠାତ୍ ଘରୁ ନିଖୋଜ ହୋଇଗଲେ। ପରେ ସ୍ୱାମୀ ଆଲମାରୀ ଖୋଲି ଦେଖିବା ବେଳକୁ ଆଲମାରୀରୁ ନଗଦ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଗାଏବ ହୋଇଯାଇଥିଲା। ମହିଳା ଜଣକ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହିତ ପଳାଇ ଯାଇଥିବା କୁହାଯାଉଛି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।