ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ କାନ୍ଧରେ ଭରା ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ଲାନ୍ କରିଥିଲେ କେଜ୍ରିଓ୍ବାଲ। ହେଲେ କେନ୍ଦ୍ର ବଜେଟରେ ଆୟକର ଗୋଟି ଚଳାଇ ଖେଳ ଏପଟ ସେପଟ କରିଦେଲା ବିଜେପି। ମଧ୍ୟବିତ୍ତଙ୍କ ପାଇଁ ୭ଟି ଦାବି ରଖି ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ କେଜ୍ରିଓ୍ବାଲ। ଆୟକର ସୀମା ୭ ଲକ୍ଷରୁ ୧୦ ଲକ୍ଷ କରିବାକୁ ଦାବି କରିଥିଲେ। ହେଲେ ଆୟକର ସୀମା ୧୨ ଲକ୍ଷକୁ ବଢାଇ ମଧ୍ୟବିତ୍ତଙ୍କୁ ଖୁସି କରିଦେଇଛି ବିଜେପି। ଦିଲ୍ଲୀ ନିର୍ବାଚନରେ ଏହାର କେତେ ପ୍ରଭାବ ପଡିବ? ନିର୍ବାଚନ ସମୀକରଣ ବଦଳାଇ ଦେବେ କି ମଧ୍ୟବିତ୍ତ?
ମଧ୍ୟବିତ୍ତଙ୍କ ଉପରେ କେତେ ପ୍ରଭାବ ?
ଦିଲ୍ଲୀ ରାଜନୀତିରେ ମଧ୍ୟବିତ୍ତ ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କାରଣ ଦିଲ୍ଲୀ ଜନସଂଖ୍ୟାର ବଡ଼ ଭାଗ ମଧ୍ୟବିତ୍ତ। ରାଜନୈତିକ ଅଧିକାର ନେଇ ସଚେତନ ମଧ୍ୟବିତ୍ତଙ୍କ ଭୋଟ୍ ଦିଲ୍ଲୀରେ ସରକାର ଗଠନ ପାଇଁ ନିର୍ଣ୍ଣାୟକ ହୋଇପାରେ। ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଦିଲ୍ଲୀରେ ୧୫ ଲକ୍ଷ କରଦାତା ରହିଛନ୍ତି। ଏମାନଙ୍କ ମଧ୍ୟରୁ ଏବେ ୬ ଲକ୍ଷ ଲୋକଙ୍କୁ ଆୟକର ଦେବାକୁ ପଡିବନି। ୬ ଲକ୍ଷ ଲୋକଙ୍କ ପରିବାରରେ ଅତି କମରେ ୪ ଜଣ ସଦସ୍ୟ ହିସାବ କଲେ ବି କେନ୍ଦ୍ର ବଜେଟ୍ ନିଷ୍ପତ୍ତି ୨୪ ଲକ୍ଷ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ। ତେଣୁ ଆୟକର ଛାଡ ନିଷ୍ପତ୍ତି ଦିଲ୍ଲୀ ନିର୍ବାଚନରେ ବିଜେପିର ମାଷ୍ଚରଷ୍ଟ୍ରୋକ୍ ହୋଇପାରେ।
ବଦଳିଯିବ ଦିଲ୍ଲୀ ଫଳ !
ମଧ୍ୟବିତ୍ତଙ୍କ ଖର୍ଚ୍ଚ କ୍ଷମତା ବଢାଇବାକୁ ଆୟକର ସୀମା ବଢାଇଥିବା କହିଛି ବିଜେପି। ମଧ୍ୟବିତ୍ତ ଅଧିକ ଖର୍ଚ୍ଚ କଲେ ଦେଶର ଅର୍ଥ ବ୍ୟବସ୍ଥାର ବେଗ ବଢିବ। ଦିଲ୍ଲୀର ୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ। ଟଙ୍କା ସଞ୍ଚୟ ସହ ଦିଲ୍ଲୀର 70ଲକ୍ଷ ମହିଳା ଭୋଟରଙ୍କ ଉପରେ ବି ଏହାର ପ୍ରଭାବ ପଡିବ। ଏପରିକି ଆୟକର ଛାଡ ସୀମା ବୃଦ୍ଧି ଦିଲ୍ଲୀର ୬୭ ପ୍ରତିଶତ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।
କୁଆଡେ ଢଳିବେ ମଧ୍ୟବିତ୍ତ?
ମଧ୍ୟବିତ୍ତଙ୍କ ପାଇଁ ଦାବି ରଖି ବିଜେପିର ସବୁଠୁ ବଡ଼ ସମର୍ଥକ ବର୍ଗଙ୍କ ମନ ଜିତିବାକୁ ଗୋଟି ଚଳାଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ହେଲେ କେଜ୍ରିଓ୍ବାଲଙ୍କ ବଲରେ ସିଧା ଚଉକା ଲଗାଇଛି ବିଜେପି। ଆୟକର ରିହାତି ସୀମା ୧୦ଲକ୍ଷ କରିବାକୁ କେଜ୍ରିଓ୍ବାଲ ଦାବି କରିଥିଲେ ତ ଏକାଥରେ ୧୨ ଲକ୍ଷ କରିଦେଲା ବିଜେପି। ମଧ୍ୟବିତ୍ତଙ୍କ ସମସ୍ୟା ଉଠାଇ ଭୋଟ ହାତେଇବାକୁ କେଜ୍ରିଓ୍ବାଲ ଉଦ୍ୟମ କରୁଥିବା ବେଳେ ବିଜେପି ପ୍ରଚାରକୁ ଆଉ ଦୁଇ ଦିନ ଥିବା ବେଳେ ବଡ ଘୋଷଣା କରିଛି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ବି ଏହାର ଝଲକ ଦେଖିବାକୁ ମିଳିଛି। ମଧ୍ୟବିତ୍ତଙ୍କୁ ସମ୍ମାନ କରୁଥିବା ଏକମାତ୍ର ଦଳ ବିଜେପି ବୋଲି କହିଛନ୍ତି ମୋଦି।
ଦିଲ୍ଲୀରେ ଦୁଇ ଦୁଇ ଥର କ୍ଷମତାରେ ରହିଥିବା ଆମ ଆଦମୀ ପାର୍ଟିର ମଜବୁତ ପକଡ ରହିଛି। ଆପ ସରକାରର ମାଗଣା ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ଯୋଜନା ନିମ୍ନ ବର୍ଗ ଓ ମଧ୍ୟବିତ୍ତଙ୍କ ମଧ୍ୟରେ ଲୋକପ୍ରିୟ ରହିଛି। ଆୟକର ଛାଡ଼ ସୀମା ବୃଦ୍ଧି ଦ୍ବାରା ମଧ୍ୟବିତ୍ତ ଆଶ୍ବସ୍ତ ହେବେ। ହେଲେ ଦିଲ୍ଲୀରେ ପ୍ରସଙ୍ଗ କେବଳ ଆର୍ଥିକ ନୁହେଁ। ଯମୁନା ସଫେଇ ହେଉ କିମ୍ବା ଟ୍ରାଫିକ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ ପରି ବିଭିନ୍ନ କ୍ଷେତ୍ରକୁ ନେଇ ଭୋଟ ଦେବେ ଦିଲ୍ଲୀ ଭୋଟର। ତେଣୁ ବିଜେପିର ମାଷ୍ଟରଷ୍ଟ୍ରୋକ୍ କେତେ କମାଲ୍ କରିବ, ସେନେଇ ନିର୍ବାଚନ ଫଳାଫଳରୁ ଜଣାପଡିବ।