ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିବାଦ, ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଉଡିଲାନି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ହେଉଛି ପାକିସ୍ତାନ। କିନ୍ତୁ ସୁରକ୍ଷାକୁ ନଜରରେ ରଖି ପାକ୍ ଗସ୍ତ ଭାରତ ସରକାର ଟିମ୍ ଇଣ୍ଡିଆକୁ ଅନୁମତି ଦେଇନଥିଲେ। ଯାହା ଫଳରେ ହାଇବ୍ରିଡ୍ ମଡେଲ୍ ଆଧାରରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

ତେବେ ଏହାରି ମଧ୍ୟରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପାକିସ୍ତାନ ପକ୍ଷରୁ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ଉତ୍ସବ କରାଯାଇଥିଲା। କିନ୍ତୁ ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟକ୍ରମ ପ୍ରଶଂସକମାନଙ୍କୁ ନିରାଶ କରିଥିବା ଦେଖିବାକୁ ମିଳିଛି।

ଗଦ୍ଦାଫି ଷ୍ଟାଡିୟମରେ ସାତଟି ଦଳର ପତାକା ରହିଥିଲା ବେଳେ ଭାରତର ପତାକା ନଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସମେତ ଆଠଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏପରିସ୍ଥଳେ ଭାରତୀୟ ଦଳର ମଧ୍ୟ ଏକ ପତାକା ରହିବାର ଥିଲା। ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଲା।ପାକିସ୍ତାନ କ୍ରିକେଟ ବୋର୍ଡର ଏଭଳି ଆଚରଣ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି।

ଉଲ୍ଲେଖଯୋଗ୍ୟ, ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଅନ୍ୟ ଦଳଗୁଡ଼ିକ ସେମାନଙ୍କର ମ୍ୟାଚ୍ ପାକିସ୍ତାନରେ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚିଥିବା ବେଳେ ରବିବାର ଦିନ ଟିମ୍ ଇଣ୍ଡିଆର ଖେଳାଳିମାନେ ପ୍ରଥମ ଅଭ୍ୟାସ ସେସନରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ ଏରେ ଥିବା ଭାରତ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଦଳ ଗୁଡିକୁ ୨ଟି ଗ୍ରୁପ୍ କରାଯାଇଥିବା ବେଳେ ୮ଟି ଟିମ୍ ମୋଟ୍ ୧୫ଟି ମ୍ୟାଚ ଖେଳିବେ।

Leave A Reply

Your email address will not be published.