ବଙ୍ଗଳାରେ ସାମ୍ପ୍ରଦାୟିକ ଦଙ୍ଗା: ଇଣ୍ଟରନେଟ୍‌ ବନ୍ଦ, ୩୪ ଗିରଫ

କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଏକ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଲାଗି ଏହି ଦଙ୍ଗା ହୋଇଥିବା କୁହାଯାଉଛି। ଫଳରେ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏଥିସହିତ ୩୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଏନେଇ ପୋଲିସ ପ୍ରଶାସନ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଘଟଣାକୁ ନେଇ ପୋଲିସ ଆଇଜି ରାଜେଶ ଯାଦବ କହିଛନ୍ତି, ଗତ ରାତିରେ ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଯିବା ବେଳେ ମସ୍‌ଜିଦ୍‌ ଉପରକୁ ବାଣ ଫିଙ୍ଗାଯାଇଥିବା ଅଭିଯୋଗ କରି ମୁସଲିମ ସମ୍ପ୍ରଦାୟର ‌କେତେକ ଲୋକ ଶୋଭାଯାତ୍ରା ଉପରକୁ ଢେଲାପଥର ମାଡ଼ କରିଥିଲେ ଓ ରାସ୍ତା ଅବରୋଧ କରିଥିଲେ।

ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ପୋଲିସ ଜିପ୍‌ ଭାଙ୍ଗି ଦେଇଥିଲେ। ସେମାନଙ୍କୁ ଆୟତ୍ତ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍‌ ଓ ଲାଠି ମାଡ଼ କରିଥିଲା। ଆଜି ପୂର୍ବାହ୍‌ଣରେ ଗତକାଲିର ଘଟଣାକୁ ନେଇ ପୁଣିଥରେ ଦୁଇ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ତେବେ ପୋଲିସ ହସ୍ତକ୍ଷେପ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ପରିସ୍ଥିତିକୁ ଦେଖି ଭିଡିଓ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଅପରପକ୍ଷରେ ଏହି ଘଟଣାକୁ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟର ବିଚାରପତି ସୌମେନ୍‌ ସେନ୍‌ ଓ ସ୍ମିତା ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ୍‌ ୩ ତାରିଖ ସୁଦ୍ଧା ‘ଆକ୍ସନ ଟେକନ୍‌’ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Leave A Reply

Your email address will not be published.