ମୋଦିଙ୍କ ଚେତାବନୀ: ‘ଯଦି ପାକିସ୍ତାନ ଆକ୍ରମଣ କରେ, ଦେଶ କଡା ଜବାବ ଦେବ’

ନୂଆଦିଲ୍ଲୀ: ଆମେ ଉଲଘଂନ କରିବୁନି, କିନ୍ତୁ ଯଦି ପାକିସ୍ତାନ କରେ, ତାହେଲେ ଆମର ଜବାବ ଆହୁରି ଶକ୍ତିଶାଳୀ ହେବ । ପାକିସ୍ତାନ ସହିତ ଉତ୍ତେଜନା ହ୍ରାସ ଚୁକ୍ତିନାମା ବିଷୟରେ ଆଲୋଚନା ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ କିଛି ଏପରି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ଗତକାଲି ଆମେରିକାର ମଧ୍ୟସ୍ଥତାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ଯଦିଓ ପାକିସ୍ତାନ ଅସ୍ତ୍ରବିରତି ଲାଗୁର କିଛି ଘଣ୍ଟା ପରେ ନିମୟ ଉଲଘଂନ କରି ଭାରତ ଉପରେ ଆକ୍ରମଣ କରିଥିଲା, ଯାହାକୁ କେବଳ ପଣ୍ଡ କରିଥିଲା ଭାରତ । କିନ୍ତୁ ଏହା ପରେ ଏବେ ପର୍ଯ୍ୟନ୍ତ ଆଉ ଆକ୍ରମଣ ହୋଇନାହିଁ । ପଶ୍ଚିମି ରାଜ୍ୟ ମାନଙ୍କରେ ଶାନ୍ତି ଫେରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏହାରି ଭିତରେ ଏବେ ମୋଦିଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଉପରାଷ୍ଟ୍‌ରପତି ଭାନ୍ସ ମୋଦିଙ୍କ ସହ ଫୋନରେ କଥା ହୋଇଥିବା ବେଳେ ଏଥିରେ ଭାନ୍ସଙ୍କୁ ସିଧା ସିଧା ଶୁଣାଇ ଦେଇଛନ୍ତି ମୋଦି ।  କହିଛନ୍ତି, ଯଦି ସେମାନେ ଆକ୍ରମଣ କରନ୍ତି, ତେବେ ଆମେ ଆହୁରି ଶକ୍ତିଶାଳୀ ଆକ୍ରମଣ କରିବୁ । ଯଦି ପାକିସ୍ତାନ ଗୁଳି ନ ଫୋପାଡ଼େ, ତେବେ ଭାରତ ମଧ୍ୟ ସଂଯମତା ଅବଲମ୍ବନ କରିବ। ଆମେ ପାକିସ୍ତାନ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ, ତେବେ ଏହା କେବଳ ପାକ୍ ଅଧିକୃତ କାଶ୍ମୀର (ପିଓକେ), ଅବୈଧ ଅଞ୍ଚଳ ଫେରାଇବା ଏବଂ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବା ପର୍ଯ୍ୟନ୍ତ ସୀମିତ । ଏହା ବ୍ୟତୀତ ପାକିସ୍ତାନ ସହ କିଛି ବି କଥା ହେବନି ଭାରତ । ଏଥିସହିତ ଭାରତ କାହାର ବି ମଧ୍ୟସ୍ଥତା ଚାହୁଁନି ବୋଲି ସ୍ପଷ୍ଟ କରି କହିଛନ୍ତି ମୋଦି ।

ତେବେ ପୂର୍ବରୁ ସିଏନଏନର ଏକ ରିପୋର୍ଟରେ ପ୍ରକାଶ କରିଥିଲା ଯେ, ୱାଶିଂଟନ ଦ୍ୱାରା ଚିନ୍ତାଜନକ ସୂଚନା ପାଇବା ପରେ, ଭାନ୍ସ ସିଧାସଳଖ ଯୁଦ୍ଧବିରତି ପାଇଁ ଆଲୋଚନାକୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗାଯୋଗ କରିଥିଲେ। ସମ୍ବେଦନଶୀଳତା ହେତୁ ଗୁପ୍ତଚରର ପ୍ରକୃତି ପ୍ରକାଶ କରାଯାଇ ନଥିଲେ ମଧ୍ୟ, ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏହା ଆମେରିକାର ନେତୃତ୍ୱର ସର୍ବୋଚ୍ଚ ସ୍ତରରୁ ଜରୁରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ରିପୋର୍ଟ ଅନୁଯାୟୀ ଭାନ୍ସ ପ୍ରଧାନମନ୍ତ୍ରୀଙ୍କୁ ସପ୍ତାହାନ୍ତରେ ଉତ୍ତାଜନା ବୃଦ୍ଧିର ଉଚ୍ଚ ସମ୍ଭାବନା ବିଷୟରେ କହିଥିଲେ । ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଏନଏସଏ କିମ୍ବା ବୈଦେଶିକ ମନ୍ତ୍ରୀ ସ୍ତରରେ ଏପରି କୌଣସି ଆଲୋଚନା ହୋଇନାହିଁ । କିନ୍ତୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହା କେବଳ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO)ଙ୍କ ପର୍ଯ୍ୟନ୍ତ ସୀମିତ ଥିଲା ।

Leave A Reply

Your email address will not be published.