ସେମାନେ ଧର୍ମ ଦେଖି ମାରିଲେ, ଆମେ କର୍ମ ଦେଖିଲୁ: ରାଜନାଥ ସିଂହ
ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କାଶ୍ମୀର ଅଭିମୁଖେ ଗସ୍ତ କରିଥିଲେ।
ଏହି ଅବସରରେ ଭାରତୀୟ ସେନାକୁ ସମ୍ବୋଧିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ନେଇ ସେନାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ସେମାନଙ୍କର ‘ଧର୍ମ’ ପଚାରି ହତ୍ୟା କରିଥିଲେ। ଏହା ପରେ ଭାରତୀୟ ସେନା ତାର କିଭଳି ଭାବେ ଉତ୍ତର ଦେଇଥିଲା ତାହା ସାରା ବିଶ୍ବ ଦେଖିଥିଲା।ସେମାନେ ଧର୍ମ ପଚାରିଥିଲେ କିନ୍ତୁ ଆମେ ସେମାନଙ୍କର କର୍ମ ଦେଖି ସେମାନଙ୍କୁ ଦଣ୍ଡ ଦେଇଛୁ। ସେମାନଙ୍କ କର୍ମ ଦେଖି ସେମାନଙ୍କୁ ନିପାତ୍ କରାଗଲା ଓ ଏହା ଆମ ଭାରତୀୟ ଧର୍ମ ବୋଲି ସେ ଗର୍ବର ସହ ପ୍ରକାଶ କରିଥିଲେ।
ଭାରତ ପହଲଗାମର ପ୍ରତିଶୋଧ ନେବାକୁ ଯାଇ ମେ ୬-୭ ବିଳମ୍ବିତ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ମାନଙ୍କର ୯ଟି ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ଯାହାପରେ ପାକିସ୍ତାନର ସେନା ଭାରତୀୟ ସହର ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ଏହାର ପ୍ରତି ଜବାବରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ବାୟୁସେନା ଘାଟିଗୁଡ଼ିକୁ ଧ୍ଵଂସ କରିଥିଲା।
ଅପରେସନ ସିନ୍ଦୁରର ସଫଳତା ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି ବୋଲି ରାଜନାଥ ସିଂହ କହିଛନ୍ତି। ତେବେ ପାକିସ୍ତାନକୁ ଏକ ଦାୟିତ୍ୱହୀନ ରାଷ୍ଟ୍ର କହିବା ସହ ସେଠାରେ ଥିବା ପରମାଣୁ ଅସ୍ତ୍ର ଗୁଡ଼ିକର ସୁରକ୍ଷା ପାଇଁ IAEA ଏହାକୁ ନିଜ ନିୟନ୍ତ୍ରଣକୁ ନେବା ଆବଶ୍ୟକ ବୋଲି ରାଜନାଥ ସିଂହ କହିଛନ୍ତି।