ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳଚକଟା ମାମଲା ଏବେ ନୂଆ ମୋଡ ନେଇଛି । ଗତ ୪ ତାରିଖରେ ଆରସିବି ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ସମ୍ପର୍କରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ ବିରାଟଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ହେଲେ କର୍ମୀଙ୍କ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଏଫ୍ ଆଇଆର୍ ରୁଜୁ ହୋଇନାହିଁ ।
ତେବେ ମିଳିଥିବା ସୂଚନା ଅନୁସାରେ, ସାମାଜିକ କର୍ମୀ ଏଚ୍ ଏମ୍ ଭେଙ୍କଟେଶ ତାଙ୍କ ଅଭିଯୋଗରେ ଆଇପିଏଲ୍ ଇତିହାସରେ ଆରସିବିର ପ୍ରଥମ ବିଜୟର ଉତ୍ସବ ପାଳନ ସମୟରେ ଦଳାଚକଟା ପାଇଁ କ୍ରିକେଟର ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି । କର୍ମୀ କହିଛନ୍ତି ଯେ ବେଙ୍ଗାଲୁରୁ ଦଳାଚକଟା ମାମଲା ପାଇଁ ବିରାଟ କୋହଲି ମଧ୍ୟ ସଂପୂର୍ଣ୍ଣ ଦାୟୀ । ତାଙ୍କୁ ଗିରଫ କରାଯାଉ ।
ତେବେ ଗତ ବୁଧବାର (ଜୁନ୍ ୪)ରେ ୧୮ ବର୍ଷ ପରେ ଆଇପିଏଲରେ ପ୍ରଥମ ଥର ପାଇଁ ବିଜୟ ପାଇବା ପରେ, ଆରସିବି ଦଳ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ଆୟୋଜିତ ହୋଇଥିଲା । ଦଳର ବିଜୟର ଉତ୍ସବ ପାଳନରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇଥିଲେ । ହେଲେ ଦୁଃର୍ଭାଗ୍ୟ, ଏତେ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବା ବେଳେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଯେୁଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଏଥିରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଥିଲେ ।
ତେବେ ବେଙ୍ଗାଲୁରୁ ଦଳଚକଟାରେ କୁହାଯାଉଛି, କି ବିରାଟଙ୍କୁ ଦେଖିବାକୁ ଭିଡ ଅନିୟନ୍ତ୍ରିତ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି, କ’ଣ ତଦନ୍ତ କମିଶନର ଖୋଳତାଡ ପରେ ବିରାଟ କୋହଲି ଏହି ମାମଲାରେ ଫସିପାରନ୍ତି କି ? ସମାଜକର୍ମୀଙ୍କ ଅଭିଯୋଗ ଉପରେ କି ଆକ୍ସନ ନେବ କର୍ଣ୍ଣାଟକ ପୋଲିସ୍ ? କାରଣ ପୂର୍ବରୁ ମଧ୍ୟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ଷେତ୍ରରେ ଏପରି ହୋଇସାରିଛି । ପୁଷ୍ପା-୨ ପ୍ରିମିୟର ରିଲିଜ୍ ସମୟରେ ହାଇଦ୍ରାବାଦ ଏକ ଥିଏଟରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଜଣେ ରେବତୀ ନାମକ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପୁଅ ଶ୍ରୀ ତେଜ ଗୁରୁତର ଆହତ ହୋଇଥିଲେ । ଭିଡ଼ ନିୟନ୍ତ୍ରଣରେ ଅବହେଳା ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ଥିଏଟର ପରିଚାଳନା କମିଟି ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା ।