ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ସେ କହିଛନ୍ତି, ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର। ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିଳୀ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବା ପରେ ପରେ ସାରା ବିଶ୍ଵରେ ଯୋଗକୁ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରୀତ କରିଥିଲା।
ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇଜାଗ ଠାରୁ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ।
ସେ ପୁଣି କହିଥିଲେ ଯେ, ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା ସଶକ୍ତ ଓଡ଼ିଶା ଗଠନ କରିବା।
ଉଲ୍ଲେଖଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।