ଭୁବନେଶ୍ୱର: ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନ କର୍ତ୍ତୃପକ୍ଷ ନିର୍ଭର କରିବେ ନାହିଁ। ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍ ଆନାସ୍ଥେସିଆ ୟୁନିଟ୍। ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍ ଖୋଲିବାକୁ ଯାଉଛି। ଏଥିପାଇଁ ୪ଟି ଆନାସ୍ଥେସିଆ ମେସିନ୍ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍(ଓଏସ୍ଏମ୍ସିଏଲ୍) ପକ୍ଷରୁ ଏବେ ସ୍ଥାପନ କରାଯାଇଛି। ଏହା ସହିତ ବିଧିବଦ୍ଧ ଭାବେ ଚାରିଟି ଡାକ୍ତରୀ ପଦବୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ବରୁ ଶିଶୁ ଭବନର ପୁରୁଣା କୋଠାରେ ପେଡିଆଟ୍ରିକ୍ ସର୍ଜରି ପାଇଁ ଦୁଇଟି ସାଧାରଣ ଓଟି ଚାଲୁଥିଲା। ଏବେ ନୂଆ କୋଠାରେ ତିନୋଟି ମଡ୍ୟୁଲାର୍ ଓଟି ପ୍ରସ୍ତୁତ ହୋଇସାରିଛି। ଏହି ମଡ୍ୟୁଲାର୍ ଓଟିରେ ଶିଶୁଭବନରେ ପ୍ରାରମ୍ଭିକ ଭାବେ କିଡ୍ନି ପ୍ରତିରୋପଣ କରାଯିବ। ପରେ ଲିଭର, ହାର୍ଟ ପ୍ରତିରୋପଣ ସହ ଏଣ୍ଡୋସ୍କୋପି, ସିଷ୍ଟୋସ୍କୋପି ସର୍ଜରି କରାଯିବ। ତେବେ ପୂର୍ବରୁ ଶିଶୁଭବନରେ ଯଦିଓ ଦୁଇଟି ଆନାସ୍ଥେସିଆ ପଦବୀ ଥିଲା, ଶିଶୁଭବନରେ କୌଣସି ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇନଥିଲା।
ଏହି ଡାକ୍ତରମାନେ କଟକ ବଡ଼ ଡାକ୍ତରଖାନାରୁ ନିୟମିତ ଆସୁଥିଲେ। ଅପରେସନ୍ କରିବା ପରେ ଚାଲିଯାଉଥିଲେ। କିନ୍ତୁ ଏବେ ଶିଶୁଭବନରେ ଆରମ୍ଭ ହେବାକୁ ଯାଉଥିବା ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍ରେ ଏକକାଳୀନ ଚାରି ଜଣ ଡାକ୍ତର ନିଯୁକ୍ତ ହେବେ। ଯାହା ଫଳରେ ଶିଶୁଭବନରେ ୨୪ ଘଣ୍ଟିଆ ଅପରେସନ୍ ସମ୍ଭବ ହେବାକୁ ଯାଉଛି। ଏହି ୟୁନିଟ୍ରେ ଜଣେ ଲେଖାଏଁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ନିଯୁକ୍ତ ହେବେ।