ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଉଭୟ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ସାବତ ମା ପ୍ରିୟା ସଚଦେବ, ସଞ୍ଜୟଙ୍କ ଇଚ୍ଛାପତ୍ରକୁ ନେଇ ଜାଲିଆତି କରିଛନ୍ତି। କାରଣ ପୂର୍ବରୁ ସଞ୍ଜୟଙ୍କ କୌଣସି ଇଚ୍ଛାପତ୍ର ନଥିବା ପ୍ରିୟା ଦାବି କରିଥିଲେ। କିନ୍ତୁ ପରେ ହଠାତ୍ ଇଚ୍ଛାପତ୍ର ପ୍ରକାଶ କରିବା ସହ ସବୁ ସମ୍ପତି ଆର. କେ ଫ୍ୟାମିଲି ଟ୍ରଷ୍ଟ ନାଁରେ ଥିବା ନେଇ କୁହାଯାଇଥିଲା। ଫଳରେ କରିସ୍ମା କପୁରଙ୍କ ଦୁଇ ପିଲା କୋର୍ଟଙ୍କୁ ଡକ୍ୟୁମେଣ୍ଟର ଏକ କପି ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି। ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ଇଚ୍ଛାପତ୍ର କାର୍ଯ୍ୟକାରୀ ନ କରିବାକୁ ମଧ୍ୟ ଉଭୟ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

୧୨ ଜୁନ୍ ୨୦୨୫ରେ ଲଣ୍ଡନରେ ପୋଲୋ ଖେଳୁଥିବା ବେଳେ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବର୍ତ୍ତମାନ୍ ମାମଲା ଜଟିଳ ହୋଇପଡ଼ିଛି। କରିସ୍ମା ତାଙ୍କ ପୂର୍ବତନ ସ୍ୱାମୀଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ଆଇନର ସାହାଯ୍ୟ ନେଉଥିବା ଜଣାପଡ଼ିଛି। ଏଥିମଧ୍ୟରେ ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କ ଝିଅ ସଫିରା ତାଙ୍କ ଟାଇଟଲ ‘ଚଟୱାଲ’ରୁ ‘କପୁର’ କରିଦେଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ପରିବର୍ତ୍ତନ ସମ୍ପତ୍ତିରେ ସଫିରାଙ୍କ ଅଂଶୀଦାରକୁ ମଜବୁତ କରିବାରେ ସାହାଯ୍ୟ କରିପାରେ ବୋଲି କେତେକ ମତ ଦେଉଛନ୍ତି।

ସଞ୍ଜୟଙ୍କ ମାଙ୍କୁ ପ୍ରିୟା ସଚଦେବଙ୍କ ସମେତ ଅନେକ ଲୋକ ଆଇନଗତ କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ନେଇ ଭଉଣୀ ମନ୍ଧିରା କପୁର ଖୁଲାସା କରିଛନ୍ତି। ଏପରିକି ତାଙ୍କ ୧୩ ଦିନରେ ତାଙ୍କ ମାଆଙ୍କୁ ଥରେ ନୁହେଁ ବରଂ ଦୁଇଥର କିଛି କାଗଜ ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା।ଏପରିକି ଯେଉଁ କାଗଜପତ୍ରରେ ଦସ୍ତଖତ କରାଯାଇଥିଲା ତାହା କଣ ପାଇଁ ଦେଖାଉ ନାହାନ୍ତି ବୋଲି ମନ୍ଧିରା ପ୍ରଶ୍ନ ମଧ୍ୟ କରିଥିଲେ। ପରେ ତାଙ୍କ ମାଆ ମନ୍ଧିରାଙ୍କୁ କହିଥିଲେ ଯେ ସେ କେଉଁ କାଗଜପତ୍ରରେ ଦସ୍ତଖତ କରିଛନ୍ତି ତାହା ଜାଣି ନାହାନ୍ତି।କୌଣସି ପରିସ୍ଥିତିରେ ମଧ୍ୟ ସତ କେବେ ଲୁଚି ରହିବ ନାହିଁ ଓ ସମୟ ଆସିଲେ ସମସ୍ତେ ସତ୍ୟ ଜାଣିପାରିବେ ବୋଲି ସେ କହିଥିଲେ।

Leave A Reply

Your email address will not be published.