ରାଜନୀତି ପାଇଁ ସୁରଙ୍କ ଘରେ କଳି !

ଭୁବନେଶ୍ବର: ରାଜନୀତି ପାଇଁ ସୁରଙ୍କ ଘରେ କଳି ! ପରିବାର ଦୁଇ ଫାଳ ! ବଡ଼ ଭାଇଙ୍କୁ ମନ୍ମଥଙ୍କ ବଡ଼ ଆକ୍ଷେପ । ନାଁ ନନେଇ ଭାଇଙ୍କୁ କହିଲେ, ଫ୍ରଡ୍ । ଦାଣ୍ଡରେ ପଡି ହାଟରେ ଗଡୁଛି ବରିଷ୍ଠ ରାଜନେତା ସୁର ରାଉତରାୟଙ୍କ ଘର କଳି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସରେ ତ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ଅଛନ୍ତି । ଆଉ ରାଜନୈତିକ ମତଭେଦକୁ ନେଇ ସିଦ୍ଧାର୍ଥଙ୍କ ବିରୋଧରେ କଡା ଭାଷାରେ ବୟାନ ଦେଇଛନ୍ତି ମନ୍ମଥ। ଗତ ନିର୍ବାଚନରେ ସିଦ୍ଧାର୍ଥ ନିମାପଡ଼ା ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଲେ ଭୁବନେଶ୍ବର ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ମନ୍ମଥ ରାଉତରାୟ । ସୁରଙ୍କ ଦୁଇ ପୁଅ ଦୁଇ ଅଲଗା ଦଳରୁ ନିର୍ବାଚନ ଲଢିବା ନେଇ ସେତେବେଳେ ବି ଜୋରଦାର ଚର୍ଚ୍ଚା ହୋଇଥିଲା ।

କ’ଣ କହିଲେ ମନ୍ମଥ?

ନାଁ ନନେଇ ବଡ ଭାଇ ସିଦ୍ଧାର୍ଥ ରାଉତରାୟଙ୍କୁ ଆକ୍ଷେପ କରିଛନ୍ତି ମନ୍ମଥ । ସୁରଙ୍କ ଘରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନବୀନ ଓ ପାଣ୍ଡିଆନଙ୍କୁ ବାରମ୍ବାର ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ଯାଇ ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ । ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ, ହେଲେ ରିଜେକ୍ଟ ହୋଇଥିବା ପରେ ଏବେ ସେ ଗାଳି କରୁଛନ୍ତି । ସେହି ବ୍ୟକ୍ତି ଜଣକ ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ସେ ରିଜେକ୍ଟ ହୋଇଯାଇଥିଲେ । ବିଜେପି ଓ ବିଜେଡି ସେ ବ୍ୟକ୍ତିଙ୍କୁ ରିଜେକ୍ଟ କରିବା ପରେ ସେ ତୃତୀୟ ଅପସନରେ ପହଞ୍ଚିଲେ । ୨ଥର ରିଜେକ୍ଟ ହେବା ପରେ ସିଏ ନବୀନ ଓ ପାଣ୍ଡିଆନଙ୍କୁ ଗାଳିଦେଲେ । ସିଏ ଯଦି ଓଡିଶାକୁ ଏତେ ଭଲ ପାଉଥିଲେ, ୧୮ବର୍ଷ ଧରି ଆମେରିକାରେ କଣ କରୁଥିଲେ? ତାଙ୍କ ପିଲାମାନେ ଆମେରିକା ପାସପୋର୍ଟରେ କାହିଁକି ଅଛନ୍ତି ? ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି ।

ମୋ ଗୁରୁଙ୍କୁ ଗାଳି କରୁଛନ୍ତି…

ସେ ବ୍ୟକ୍ତି ଜଣକ ଭାବୁଥିଲେ ସ୍ପୋର୍ଟ୍ସକୁ ନାଁ ନେଇ ନେତା ହୋଇଯିବେ । ସୁର ରାଉତରାୟଙ୍କ ନାଁ ନେଇ ଦୁଇ ବଡ ଦଳର ଟିକେଟ୍ ପାଇଯିବେ । ହେଲେ କିଛି ନପାଇବାରୁ ସେ ପ୍ରତିକ୍ରିୟାଶୀଳ ହୋଇ ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଏପରିକି ସୁର ରାଉତରାୟଙ୍କୁ ବି ଛାଡୁନାହାନ୍ତି ବୋଲି ମନ୍ମଥ କହିଛନ୍ତି । କିଛି ଦିନ ହେବ ସେ ତାଙ୍କ ଗୁରୁଙ୍କୁ ଗାଳି କରୁଛନ୍ତି, ତେଣୁ ବାଧ୍ୟ ହୋଇ ବାହାରିବାକୁ ପଡିଲା । ନିଜ ପରିବାରକୁ ଆମେରିକାରେ ଛାଡି ସେ ରାଜ୍ୟ ଭକ୍ତି ଦେଖାଉଛନ୍ତି । ସେ ଜଣେ ଫ୍ରଡ୍ ବୋଲି ମନ୍ମଥ କହିଛନ୍ତି । ସେପଟେ ଏନେଇ ସୁର କିମ୍ବା ତାଙ୍କ ବଡ ପୁଅ ସିଦ୍ଧାର୍ଥଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଘର କଳି…ପାଉଁଶ ତଳର ନିଆଁ

ସୁର ରାଉତରାୟଙ୍କ ଘର କଳି ଏବେକାର ନୁହେଁ ନିର୍ବାଚନ ସମୟରେ ବି ମନ୍ମଥ ବିଜେଡିରୁ ଲଢିବା ନେଇ ତାଙ୍କୁ ଆକ୍ଷେପ କରିଥିଲେ ବଡ ଭାଇ ସିଦ୍ଧାର୍ଥ । ଦୀର୍ଘ ବର୍ଷ ଧରି ସୁର କଂଗ୍ରେସରେ ରହିଥିବା ବେଳେ ତାଙ୍କ ସାନପୁଅ ମନ୍ମଥ ଠିକ୍ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ତାଙ୍କୁ ସମାଲୋଚନା କରିଥିଲେ ସିଦ୍ଧାର୍ଥ । ମନ୍ମଥଙ୍କ ପାଇଁ ସୁରଙ୍କ ୬୦ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ଅଟକାଇ ପାରିବେନି । ଭାଇକୁ ବିଜେଡି ମୁର୍ଗା ବନାଇବାକୁ ଦଳକୁ ନେଇଥିବା କହିଥିଲେ ସିଦ୍ଧାର୍ଥ । କଂଗ୍ରେସରୁ ବିଦା ହେବା ପରେ ପୁଅ ମନ୍ମଥ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ସୁର । ଦିନେ ବିଜେଡି ପ୍ରାର୍ଥୀ ବିଭୁତି ବଳବନ୍ତରାୟଙ୍କ ବିରୋଧରେ ଲଢିଥିବା ସୁର, ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ସେପଟେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ସିଦ୍ଧାର୍ଥ ।

ନିର୍ବାଚନ ପୂର୍ବରୁ ହିଁ ସୁରଙ୍କ ଘରେ ରାଜନୀତି କଳି ଲାଗି ରହିଥିବା ଚର୍ଚ୍ଚା ହୋଇଥିଲା । ତେବେ ନିର୍ବାଚନରେ ସୁରଙ୍କ ଦୁଇ ପୁଅ ପରାଜିତ ହୋଇଥିଲେ । ଏହାପରେ ବି ସୁରଙ୍କ ପରିବାରରେ ସବୁ କିଛି ଠିକ୍ ନଥିବା ଜଣାପଡୁଛି । କାରଣ ନାଁ ନନେଇ ବଡ ଭାଇଙ୍କୁ କଡା ଭାଷାରେ ଆକ୍ଷେପ କରିଛନ୍ତି ମନ୍ମଥ ।

Leave A Reply

Your email address will not be published.