ଭୁବନେଶ୍ଵର: ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ରାଜଧାନୀ ଭୁବନେଶ୍ଵର ମଧ୍ୟ ଆଲୋକମାଳାରେ ସଜେଇ ହୋଇଛି । ଏଠାରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତ୍ରିରଙ୍ଗା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଆସନ୍ତାକାଲି ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇ ପାଳନ ହେବ ୭୬ ତମ ସାଧାରଣତନ୍ତ୍ର ଦିବସ ।
ପ୍ରତିବର୍ଷ ଜାନୁଆରୀ ୨୬ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଆସନ୍ତାକାଲି ଏହି ଦିନଟିକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ଶେଷ ହୋଇଛି ପ୍ରସ୍ତୁତି । ରାତି ପାହିଲେ ସବୁଠି ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ଭୁବନେଶ୍ଵରର ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ ମୁଖ୍ୟାଳୟ, ରେଳ ଷ୍ଚେସନ, ପୂର୍ବତଟ ରେଳ ମୁଖ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଓସିଏଲ କାର୍ଯ୍ୟାଳୟ ସମେତ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କୋଠା, ରାସ୍ତା, ମନ୍ଦିର ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ଯାହା ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି । ସାଧାରଣତନ୍ତ୍ର ଦିବସ ଲାଗି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚାରିଆଡେ ସିସିଟିଭ ଛାଉଣି ହୋଇଛି ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ୧୯୫୦ ମସିହା ଜାନୁୟାରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସାମ୍ବିଧାନକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ ।
ଆସନ୍ତାକାଲି ଦିଲ୍ଲୀରେ ସ୍ବତନ୍ତ୍ର ପରେଡ୍ ଆୟୋଜିତ କରାଯିବ । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବେ । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେଡ୍ରେ ବାୟୁ, ସ୍ଥଳ ଓ ନୌସେନା ଯବାନମାନେ ଅଂଶଗ୍ରହଣ କରି ନିଜର ଅଦମ୍ୟ ସାହାସ ପ୍ରଦର୍ଶନ କରିବେ । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିରେ ଝଲକ ଏହି ପରେଡରେ ପ୍ରଦର୍ଶନ କରାଯିବ ।