ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ

ଭୁବନେଶ୍ୱର: ଟୁଇନ୍‌ ସିଟିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ । ଏନେଇ ଆଜି ବିଧାନସଭାରେ କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ସହିତ ସମାନ୍ତରାଳ ଭାବରେ ନିର୍ମାଣ ହେବ ନୂଆ ସେତୁ । ଯାହା ପ୍ରାୟ ୩.୧୨୭ କିଲୋମିଟର ବ୍ୟାପୀ ହେବ । ଯେଉଁଥିରେ ତ୍ରିଶୂଳିଆ ଏବଂ ଜୁଡିସିଆଲ ଏକାଡେମୀର ଆପ୍ରୋଚ ରୋଡ୍‌ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରେ ଡ୍ରେନେଜ୍‌ ଲେନ୍‌ ଏବଂ ବକ୍ସ କଲଭର୍ଟ ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ଚାରି ଲେନ୍‌ ବିଶିଷ୍ଟ ବ୍ରିଜ୍‌ ସମ୍ପୂର୍ଣ୍ଣ ହେବା ପରେ କାଠଯୋଡ଼ି ବ୍ରିଜ୍‌ରେ ବଢ଼ୁଥିବା ଟ୍ରାଫିକ୍‌ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଟ୍ବିନ୍‌ ସିଟି ମଧ୍ୟରେ ଯାତାୟାତକୁ ସୁଗମ କରିବ ବୋଲି ମଧ୍ୟ ଆଶା କରାଯାଉଛି ବୋଲି ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‍ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଥିଲେ ।

Leave A Reply

Your email address will not be published.