ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ଉପରେ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୋହନ କହିଛନ୍ତି ଯେ, ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ପୀଡିତା ଜଣଙ୍କ । ଦିଲ୍ଲୀ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ ଦ୍ୱାରା ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ଉଭୟ ବୟାନରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରକୁ ରିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।
ତେବେ ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବଳଙ୍ଗା ପୀଡିତାଙ୍କ ଉପରେ ପ୍ରଶ୍ନ କରିଥିଲେ ଯେ, ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଅଛି ବୋଲି ପୀଡ଼ିତା ବୟାନ ଦେଇଥିଲେ କି? ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୋଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା?
ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ଆଉ କହିଥିଲେ ଯେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କର ନୂଆଦିଲ୍ଲୀ ସାକେତର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ନମ୍ବର ୩୭ ଦ୍ୱାରା ଧାରା ୧୮୩ରେ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି ।