ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ଅଭିନେତାଙ୍କ ନାମ ଆସିଲେ ସେଥିରେ ଧର୍ମେନ୍ଦ୍ରଙ୍କ ନାମ ମଧ୍ୟ ଆସିଥାଏ। ୧୯୬୦ ମସିହା ରେ ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତା ପଞ୍ଜାବର ଏକ ଗାଁରୁ ମୁମ୍ବାଇ ଆସି ନିଜ କ୍ୟାରିୟର ଆରମ୍ଭ କରିଥିଲେ ଓ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ମଧ୍ୟ ଜିତିଥିଲେ। ଦୀର୍ଘ ଛଅ ଦଶନ୍ଧି ଧରି ଅଭିନୟ କ୍ୟାରିଅରରେ ଧର୍ମେନ୍ଦ୍ର ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଆଜି ସେ ଦୁନିଆକୁ ସବୁ ଦିନ ପାଇଁ ଅଲବିଦା କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ଧର୍ମେନ୍ଦ୍ର ୮ ଡିସେମ୍ବର ୧୯୩୫ରେ ପଞ୍ଜାବର ଲୁଧିଆନା ଜିଲ୍ଲାର ନ୍ୟାସରାଲି ରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପୂରା ନାମ ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ ଓ ତାଙ୍କ ପିତାଙ୍କ ନାମ କେୱଲ କୃଷ୍ଣ ଏବଂ ତାଙ୍କ ମାତାଙ୍କ ନାମ ସତୱନ୍ତ କୌର। ସେ ତାଙ୍କ ପିଲା ବେଳ ସାନେହୱାଲ ଗାଁରେ ବିତାଇଥିଲେ ଓ ସେଠାକାର ଏକ ସରକାରୀ ସ୍କୁଲରେ ପାଠ ପଢିଥିଲେ। ସେ ଯେଉଁ ସ୍କୁଲ ରେ ପାଠ ପଢୁଥିଲେ ତାଙ୍କ ପିତା ସେହି ସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟ ଥିଲେ। ଧର୍ମେନ୍ଦ୍ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ତେବେ ଫିଲ୍ମଫେୟାର ପତ୍ରିକା ନୂତନ ପ୍ରତିଭା ପ୍ରତିଯୋଗିତାର ଆୟୋଜନ କରିଥିଲା ଯେଉଁଥିରେ ଧର୍ମେନ୍ଦ୍ର ବିଜେତା ହୋଇଥିଲେ।
ସେ ୧୯୬୦ ମସିହାରେ ଫିଲ୍ମ ‘ଦିଲ୍ ଭୀ ମେରା ହମ୍ ଭୀ ତେରେ’ ସହିତ ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳତା ପାଇନଥିଲେ ମଧ୍ୟ ଏହା ପରେ ସେ ଫିଲ୍ମ ‘ଶୋଲା ଅର ଶବନମ୍’ରେ ଅଭିନୟ କରିଥିଲେ। ଯାହାକି ବକ୍ସ ଅଫିସରେ ସଫଳତା ହାସଲ କରିଥିଲା।
ପରେ ଧର୍ମେନ୍ଦ୍ର ‘ଅନପଢ଼’, ‘ବନ୍ଦିନୀ’, ‘ଆୟି ମିଲନ କି ବେଲା’, ‘ହକିକତ’, ‘ଫୁଲ ଅର ପଥର୍’, ‘ମମତା’, ‘ଅନୁପମା’, ‘ଇଜତ’, ‘ଆଙ୍ଖେ’, ‘ଶିଖର’, ‘ମଝଲି ଦିଦି’, ‘ଚନ୍ଦନ୍ କା ପାଲନା’, ଦୋ ରାଷ୍ଟେ’, ସତ୍ୟକାମ୍ ‘,’ ଆଦମୀ ଅର ଇନସାନ୍ ଭଳି ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ।