ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ପାଇଁ ବଡ଼ ଖୁସି ଖବର ଆସିଛି। ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର। ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍।

ଓଡିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । ଏହି ସେବା ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ଆହୁରି ସୁଦୃଢ଼ କରିବ ବୋଲି ଏହି ଚିଠି ମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ।

ଯାହାକୁ ନେଇ ଉଭୟ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ନୂତନ ଅମୃତ ଭାରତ ଟ୍ରେନ ସେବାକୁ ଅନୁମୋଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ନିଜ ଏକ୍ସ୍ ହ୍ୟାଣ୍ଡେଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।

କହିରଖୁଛୁ, ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ଏହି ଟ୍ରେନ୍ ଓଡ଼ିଶାର ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ଟ୍ରେନ୍ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ। ଏଥିସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ପ୍ରଦାନ କରିବ। ଏହା ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ପ୍ରାୟତଃ ଯାତାୟାତ କରୁଥିବା ଛାତ୍ର, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ।

Leave A Reply

Your email address will not be published.