ବିଜେଡିକୁ ଅଡ଼ୁଆ, ଫାଇଦା ଅପେକ୍ଷାରେ ବିଜେପି

ଭଦ୍ରକ: ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଧାମନଗର ନିର୍ବାଚନ କ୍ଷେତ୍ରରେ ଅଧିକ ଅଡ଼ୁଆ ସ୍ଥିତିରେ ରହିଛି ବିଜେଡି। କାରଣ ଏଠାରେ ଦଳୀୟ କନ୍ଦଳ ଥମୁନି। ଟିକେଟ୍‌ ଆଶାୟୀ ନୂଆ ନେତା ବାହାରିଲେଣି। ଦଳ ଛାଡ଼ିଥିବା ଏବଂ ଦଳରେ ଥିବା ପୁରୁଣା ନେତାମାନେ ବି ସୁଯୋଗ ଅପେକ୍ଷାରେ ଅଛନ୍ତି। ଅନ୍ୟପଟେ ବିଜେପି ବିପକ୍ଷ ବିଜେଡିର ଦୁର୍ବଳତାକୁ ଆୟୁଧ କରି ନିଜ ସପକ୍ଷରେ ଭୋଟ୍‌ ବ୍ୟାଙ୍କ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଛି।
ଗତ ଉପ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଏବଂ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡିକୁ ଧାମନଗରରେ ପରାଜୟର ସାମ୍ନା କରିବାକୁ ପଡ଼ିଲା। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ଟିକେଟ୍‌ ନଦେବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଲେ। ଯାହାର ସିଧାଳଖ ଲାଭ ଉଠାଇଲେ ବିଜେପି ପ୍ରାଥୀ ସୂର୍ଯ୍ୟବଂଶୀ ସୂରଜ। ବିଜେଡି ପ୍ରାର୍ଥୀ ଅବନ୍ତୀ ମଲ୍ଲିକ ପରାଜିତ ହେଲେ।

ତେବେ ଉପନିର୍ବାଚନ ହାରିବା ପରେ ଗୋଷ୍ଠୀ କନ୍ଦଳ ଦୂର କରି ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ବିଜେଡି ବାରମ୍ବାର ବୈଠକ କରୁଛି। ଦଳୀୟ ନେତାଙ୍କ ସହ ବରାବର ଆଲୋଚନା ହେଉଛି। ତଥାପି ଦଳୀୟ କନ୍ଦଳ ଥମୁନି। ଏବେ ବିଜେଡି ପାଇଁ ସଂଗଠନ ସଜାଡ଼ିବା ସହ ୨୦୨୪ ନିର୍ବାଚନ ଲଢ଼ିବାକୁ ଦଳୀୟ ପ୍ରାର୍ଥୀ ଖୋଜା ନେଇ ଚିନ୍ତା ବଢ଼ିଛି। ଅନେକ ପୁରୁଖା ନେତାଙ୍କ ଶୁଭଦୃଷ୍ଟି ପାଇ ଏକାଧିକ ନୂଆନେତା ଧାମନଗର ବିଜେଡି ଟିକେଟ୍‌ ଆଶାରେ ଅଛନ୍ତି। ଯେଉଁମାନେ ଏବେ ନିର୍ବାଚନ ମଣ୍ଡଳୀରେ ନିଜର ସ୍ଥିତି ଜାହିର କରିବାରେ ଲାଗିପଡ଼ିଛନ୍ତି। ତେବେ ନବାଗତଙ୍କୁ ନେଇ ନିର୍ବାଚନ ଜିତିବା ଦଳ ପାଇଁ କାଠିକର ହୋଇପାରେ। ତେଣୁ ସେମାନଙ୍କ ମଧ୍ୟରୁ କାହାକୁ ଟିକେଟ୍‌ ଦେବା ପାଇଁ ବିଜେଡି ପଛଘୁଂଚା ଦେବା ସ୍ବାଭାବିକ। ସେହିପରି ଦଳକୁ ପର କରିଥିବା ରାଜେନ୍ଦ୍ର ଦାସ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ମଧ୍ୟ ସୁଯୋଗ ଅପେକ୍ଷା ଅଛନ୍ତି। ଏମାନେ ସିଧାସଳଖ ଦଳୀୟ ଟିକେଟ୍‌ ଲବିରେ ନଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ନିଜ ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି। ସେହିପରି ଡାକ୍ତର ସଞ୍ଜୟ ଦାସ ମଧ୍ୟ ବିଜେଡି ଟିକେଟ୍‌ ହାତେଇବାକୁ ସୁଯୋଗ ଖୋଜୁଥିବା ଜଣାପଡ଼ିଛି।

ଏପରି ସମୟରେ ଆଗାମୀ ନିର୍ବାଚନ କିପରି ଜିତାଯିବ, ତାକୁ ଲକ୍ଷ୍ୟ କରି ବିଜେଡି ଓ ବିଜେପି ପକ୍ଷରୁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି। ବିଜେଡି ଲୋକସଂପର୍କ ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ଶିବିର ପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଲୋକଙ୍କ ପାଖକୁ ଯାଇ ଦଳୀୟ କାର୍ଯ୍ୟଧାରା ବାବଦରେ ଅବଗତ ହେଉଛନ୍ତି। ଏପରି ସମୟରେ ଧାମନଗର ରାଜନୈତିକ ଛକାପଞ୍ଝା ଆଗକୁ କି ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.