ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ରତ୍ନ ଭଣ୍ଡାର ଖୋଲାଯାଇ ଅନୁଧ୍ୟାନ କରାଯିବା ପରେ ଏହାର ମରାମତି କାର୍ଯ୍ୟ କରାଯିବ ବୋଲି କିଛି ବଡ ରାୟ ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି. ବି ଗଡନାୟକ ।
ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜାଙ୍କ ଠାରୁ ଆରମ୍ଭ କରି ପଣ୍ଡାଙ୍କ ସମେତ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ଅପିଲ୍ କରି ଆସୁଥିଲେ । ହେଲେ ଏନେଇ କର୍ଣ୍ଣପାତ କରୁନଥିଲେ ତତ୍କାଳୀନ ସରକାର । ଯାହାକୁ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଆଉ ଏହାର ଆଧାରରେ ବର୍ତ୍ତମାନ ଓଡିଶାର ମଙ୍ଗ ଧରିଛି ବିଜେପି । ବିଜେପି ସରକାର ଆସିବା ପରେ ଦେଇଥିବା କଥା ଗୋଟି ଗୋଟି କରି ପୂରଣ କରୁଛି । ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ଏବେ ଜୁଲାଇ ୮ରେ ବଡଦେଉଳର ରତ୍ନ ଭଣ୍ଡାର ଖୋଲିବା ନେଇ ବଡ ଘୋଷଣା କରିଛନ୍ତି । ସବୁ ତର୍କ ବିତର୍କ ଉପରେ ବିରାମ ଲଗାଇ ରଥଯାତ୍ରା ପରଦିନ ଖୋଲିବ ରତ୍ନ ଭଣ୍ଡାର ଗୁମର ।
ପୁନଶ୍ଚ ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ହେଲେ ଚାବି ହଜିଥିବା ଯୋଗୁଁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା। ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ,ଏସଆଇ ସୁପରିଟେଣ୍ଡେଣ୍ଟ ଚିଠି ଲେଖିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ୬ ବର୍ଷ ତଳେ ଅର୍ଥାତ ୨୦୧୮ରେ ଗଠିତ ହୋଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟି କ’ଣ ଯାଞ୍ଚ କରିଥିଲା ତାହାର ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇନଥିଲା । ଯାହା ଏବେ ନୂଆ ସରକାର ଆସିବା ପରେ ରିପୋର୍ଟ ହସ୍ତଗତ ହୋଇଛି । ଯେଉଁଥିରେ ରତ୍ନ ଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ବୋଲି ଜଣାପଡିଛି । ଯାହା ୬ ବର୍ଷ ତଳେ ହୋଇଥିବା ଯାଞ୍ଚ ରିପୋର୍ଟ ଅନୁଯାୟୀ କାହିଁକି ସେତେବେଳେ କୌଣସି କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ ବୋଲି ପ୍ରଶ୍ନ ସୃଷ୍ଟି କରିଛି ।
ଏବେ ନୂଆ ସରକାର ଆସିବା ପରେ ଖୋଲୁଛି ରତ୍ନ ଭଣ୍ଡାର । ଏହା ସହିତ ଖୋଲିବ ରତ୍ନ ଭଣ୍ଡାରର ସବୁ ଗୁମର ।