ପୁରୀ: ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ସୁନାବେଶ ଦର୍ଶନ ପାଇଁ ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟ ହିଁ ଦର୍ଶନ ମିଳିବ।ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ ।
ଉଲ୍ଲେଖଯୋଗ୍ୟ, ଆଜି ଶ୍ରୀହରିଶୟନ ଏକାଦଶୀ ବା ପବିତ୍ର ସୁନାବେଶ । ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। ମହଣ ମହଣ ସୁନାରେ ଛାଉଣି ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।
ଅନ୍ୟପଟରେ ସୁନାବେଶ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି । ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ସୂଚନା ଦେଇଛନ୍ତି।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଦେଇ ରଥ ସମ୍ମୁଖରେ ପହଞ୍ଚିବେ। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳୟ ସମେତ କୁଇକ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି।