ମାହାଙ୍ଗା ଡବଲ ମର୍ଡର: ପୁଣି ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ଏବେ ପୁଣି ବଢିଛି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ଘଟଣାକୁ ନେଇ ରାଜ୍ୟସରକାରଙ୍କୁ ଜବାବା ତଲବ ମଧ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏହା ଉପରେ ଜବାବ ରଖନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ପୁଣି ପ୍ରତାପ ଜେନାଙ୍କ ଅଡୁଆ ବଢିଛି । ଏହାକୁ ନେଇ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ ତା ଉପରେ ଏବେ ନଜର ରହିଛି ।

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନା ଅଭିଯୁକ୍ତ ଥିଲେ। ହାଇକୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା ବେଳେ ପ୍ରତାପଙ୍କୁ କ୍ଲିନଚିଟ୍‌ ଦେଇଥିଲେ ଉଚ୍ଚ ନ୍ୟାୟଳୟ । ଯାହାକୁ ଚାଲେଞ୍ଜ କରି ମୃତ କୁଳମଣୀ ବରାଳଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଉ ଏହାକୁ ନେଇ ପୁଣି ବିଚାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ତେବେ କହିରଖୁଛୁ, ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ ୧୩ ତମ ଅଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ ହଟାଇ ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି ।

ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଆଉ ପରେ ହାଇକୋର୍ଟ ପ୍ରତାପଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.