ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ମିଳିବ ଚାକିରି!

ଭୁବନେଶ୍ୱର:  ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟରେ ‘ଅନୁକମ୍ପା ନିଯୁକ୍ତି’ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ଦେବା ପାଇଁ ଆବେଦନଗୁଡ଼ିକୁ ବିଚାର କରାଯିବ। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ଯଦି ଜଣେ ସରକାରୀ କର୍ମଚାରୀଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି, ତେବେ ସେହି ସମୟରେ ଥିବା ନିୟମ ଅନୁସାରେ ଆବେଦନ ବିଚାର ହେବ।

ଏହା ସହିତ, ୨୦୧୬ ପରେ ଏବଂ ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଥିଲେ, ଓଡ଼ିଶା ସିଭିଲ୍ ସର୍ଭିସ (ରିହାବିଲିଟେସନ୍ ଆସିଷ୍ଟାନ୍ସ) ନିୟମ, ୧୯୯୦ ଅନୁଯାୟୀ କାର୍ଯ୍ୟ ହେବ। ଯଦି ମୃତ୍ୟୁ ୨୦୧୬ ପୂର୍ବରୁ ହୋଇଥାଏ, ତେବେ ପୁରୁଣା ଆବେଦନରେ ଥିବା ଆର୍ଥିକ ସଙ୍କଟ ପ୍ରମାଣପତ୍ର ଆଧାରରେ ନିଷ୍ପତ୍ତି ନିଆଯିବ। ତେବେ ୨୦୧୦ ପରେ ଏବଂ ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଥିଲେ, ପରିବାରର ଆର୍ଥିକ ଅବସ୍ଥା ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯିବ।

ଅନ୍ୟପଟେ, ଅନୁକମ୍ପା ନିଯୁକ୍ତିରେ ଏବେ ବିବାହିତ ଝିଅମାନେ ମଧ୍ୟ ସାମିଲ ହୋଇପାରିବେ। ଏହି ନିଷ୍ପତ୍ତିକୁ ଓଡ଼ିଶାର ଆଟର୍ଣ୍ଣି ଜେନେରାଲ ପିତାମ୍ବର ଆଚାର୍ଯ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ନୂଆ ନିୟମ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଅନେକ ମାମଲାର ସମାଧାନ କରିବ।

Leave A Reply

Your email address will not be published.