ସ୍ୱର୍ଣ୍ଣାକ୍ଷରରେ ଲେଖାହେବ ସହିଦଙ୍କ ସାହସିକତାର ଗାଥା: ଅମିତ ଶାହା

ନୂଆଦିଲ୍ଲୀ: ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ସେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ । ଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ବର୍ତ୍ତମାନ ଏହି ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି । ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଦେଶର ସଂକଳ୍ପ ଆପଣଙ୍କ ଅଦମ୍ୟ ସାହସ ବଳରେ ପୂରଣ ହେବ ବୋଲି ଶାହା କହିଛନ୍ତି । ଦେଶର ଇତିହାସ ଯେବେ ଲେଖାଯିବ, ସେବେ ସୁରକ୍ଷା ବାହିନୀର ଅମର ସହିଦଙ୍କ ସାହସିକତାର ଗାଥା ପ୍ରଥମେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ସେ କହିଛନ୍ତି ।

ସେହିପରି, ସମସ୍ତ ସହିଦ ସିଆରପିଏଫ୍ ଯବାନଙ୍କ ପରିବାରକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଦେଶ ଶକ୍ତିଶାଳୀ ଓ ସମୃଦ୍ଧ ହେବା ପଛରେ ଆପଣଙ୍କ ପରିବାରର ଅବଦାନ ଅତୁଳନୀୟ । ଦେଶର ନିରାପତ୍ତା ଓ ସ୍ୱାଧୀନତାର କାହାଣୀ ଯେତେବେଳେ ଲେଖାଯିବ, ଏଥିରେ ଆପଣଙ୍କ ପରିବାରର ଅବଦାନ ସର୍ବଦା ସ୍ମରଣୀୟ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ସରକାର ସିଆରପିଏଫର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ଏହି ଅବସରରେ ଶ୍ରୀ ଶାହା ଯବାନମାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.