ଅଭିଷେକ, ହର୍ଷିତ, ନୀତିଶ ସେଂଟ୍ରାଲ କଂଟ୍ରାକ୍ଟରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ବିସିସିଆଇର ନୂତନ ସେଂଟ୍ରାଲ କଂଟ୍ରାକ୍ଟ କେବେ ଜାରୀ ହେବ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଏବେ ଭାରତରେ ଆଇପିଏଲର ୧୮ତମ ସଂସ୍କରଣ ଚାଲିଛି । କେତେକ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରୁଛି । ଏକ ରିପୋର୍ଟ ଅନୁସାରେ ବିସିସିଆଇ ଅଭିଷେକ ଶର୍ମା, ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରିବା ପାଇଁ ବିଚାର କରୁଛି ।

ଗତ ବର୍ଷ ଏହି ୩ ଜଣ ଖେଳାଳି ଭିନ୍ନ ଭିନ୍ନ ଫର୍ମାଟରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ସେମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ୨୦୨୪-୨୫ କଂଟ୍ରାକ୍ଟରେ ସେମାନଙ୍କୁ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଛି । ଗ୍ରୁପ ସିରେ ଏମାନଙ୍କୁ ବିସିସିଆଇ ସାମିଲ କରିବାରେ । ଏହି କଂଟ୍ରାକ୍ଟରେ ରହୁଥିବା ଖେଳାଳିମାନଙ୍କୁ ବର୍ଷକୁ ୧ କୋଟି ଟଙ୍କା ମିଳିଥାଏ ।

ବିସିସିଆଇ ନିୟମ ଅନୁସାରେ ସେଂଟ୍ରାଲ କଂଟ୍ରାକ୍ଟରେ ସ୍ଥାନ ପାଇବା ପାଇଁ ଜଣେ ଖେଳାଳିଙ୍କୁ ଅତି କମରେ ୩ଟି ଟେଷ୍ଟ ୮ ଦିନିକିଆ ଓ ୧୦ଟି ଟି୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଜରୁରୀ । ଅଭିଷେକ ୧୨ଟି ଟି୨୦ ଏବଂ ନୀତିଶ ୫ ଟେଷ୍ଟ ଓ ୪ଟି ଟି୨୦ ଖେଳି ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ହର୍ଷିତ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୫ ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ ଖେଳିଥିଲେ ମଧ୍ୟ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ବିସିସିଆଇର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ସେ ୮ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ସେପ୍ଟେମ୍ବର ମଧ୍ୟରେ ସେ ଆଉ କିଛି ମ୍ୟାଚ ଖେଳି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ତେବେ ସେଂଟ୍ରାଲ କଂଟ୍ରାକ୍ଟ କେବେ ଘୋଷଣା କରାଯିବ ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ ।

Leave A Reply

Your email address will not be published.