ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥଙ୍କ ବିରୋଧରେ କେରଳ କ୍ରିକେଟ ଆସୋସିଏଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀସନ୍ଥଙ୍କ ଉପରେ କେସିଏ ୩ ବର୍ଷର ପ୍ରତିବନ୍ଧ ଲଗାଯାଇଛି । ଏପ୍ରିଲ ୩୦ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ବୋଲି କେସିଏ ପକ୍ଷରୁ କୁହାଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଘୋଷିତ ଭାରତୀୟ ଦଳରୁ ସଞ୍ଜୁ ସାମସନ ବାଦ ପଡିବା ନେଇ ଶ୍ରୀସନ୍ଥ କେସିଏକୁ ଦାୟୀ କରିଥିଲେ । ସେ ଆସୋସିଏଶନ ବିରୋଧରେ ମିଥ୍ୟା ଏବଂ ଅପମାନଜନକ ବୟାନ ଦେଇଥିଲେ । କେସିଏ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ ମଧ୍ୟ ଶ୍ରୀସନ୍ଥ ଏହାକୁ ଅଣଦେଖା କରିଥିଲେ ।
ସୂଚନାଯୋଗ୍ୟ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ପାଇଁ ଉଦ୍ଦିଷ୍ଟ ଅଭ୍ୟାସ ଶିବିରରେ ସଞ୍ଜୁ ଯୋଗ ଦେଇପାରିବେ ନାହିଁ ବୋଲି କହିଥିଲେ । ପରେ ଏହି କାରଣ ଯୋଗୁ ତାଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ କେରଳ ଟିମରେ ଚୟନ କରାଯାଇ ନ ଥିଲା । ପରେ ଭାରତୀୟ ଦଳରେ ତାଙ୍କୁ ସୁଯୋଗ ନ ମିଳିବାରୁ ଶ୍ରୀସନ୍ଥ କେସିଏ ଉପରେ ବର୍ଷିଥିଲେ । ୪୨ ବର୍ଷୀୟ ଶ୍ରୀସନ୍ଥ ଅନେକ ଥର ବିବାଦରେ ପଡିଛନ୍ତି । ୨୦୧୩ ଆଇପିଏଲ ସ୍ପଟ ଫିକ୍ସିଂରେ ସମ୍ପୃକ୍ତ ଥିବାରୁ ଆଜୀବନ ବାସନ୍ଦ କରାଯାଇଥିଲା । ୨୦୨୦ରେ ବିସିସିଆଇ ଲୋକପାଳ ତାଙ୍କ ଦଣ୍ଡାଦେଶକୁ ୭ ବର୍ଷ କରିଥିଲେ । ଶ୍ରୀସନ୍ଥ ୨୦୦୭ ଟି୨୦ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲୋ । ସେ ଏବେ କେରଳ କ୍ରିକେଟ ଲିଗରେ କୋଲ୍ଲମ ଏରିସ ଟିମର ମାଲିକ ଅଛନ୍ତି ।