ଭୁବନେଶ୍ବର: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି । ଏହି ଘଟଣା ପରେ ରାଜ୍ୟ ସାଇବର ସୁରକ୍ଷା ବିଭାଗ ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି।
ସେଥିମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ ‘ପାକିସ୍ତାନ ସାଇବର ଫୋର୍ସ’ ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି।
ବୁଧବାରଠାରୁ ୱେବସାଇଟ୍ଟି ଅକାମୀ ହୋଇପଡ଼ିଥିବା କୁହାଯାଉଛି। ଗୁରୁବାର ସାଇଟ୍ ପରିଦର୍ଶନ କରୁଥିବା ବ୍ୟବହାରକାରୀମାନେ ଏହା ବ୍ଲକଡ୍ ହୋଇଥିବା ଦେଖିବାକୁ ପାଇଥିଲେ। ଏହାକୁ ଆକ୍ସେସ କରି ହେଉ ନଥିବା ଜଣାପଡ଼ିଛି। ଏ ନେଇ ଗଣ ଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।
ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଏକ ସଙ୍ଗଠିତ ସାଇବର ଆକ୍ରମଣ ହୋଇପାରେ । ଯାହା ପଛରେ ପାକିସ୍ତାନୀ ହ୍ୟାକର ଗ୍ରୁପର ହାତ ରହିଥାଇପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ୍ବେବସାଇଟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।