ଭୁବନେଶ୍ବର: ଆଜି ମଧ୍ୟ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ପଶ୍ଚିମ, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ପୂର୍ବ ଓଡ଼ିଶାରେ ମଧ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଏହି ଭଳି ପରିସ୍ଥିତି ଆସନ୍ତା ୧୫ ତାରିଖ ଯାଏଁ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି । ଏହାପରକୁ ରହିଛି ସମ୍ବଲପୁର ଓ ହୀରାକୁଦ ଏଠାରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।
ଅନ୍ୟପଟେ, ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁବ । ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚି ଥାଏ । ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ । କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ରେ କେରଳ ପହଞ୍ଚିପାରେ ବୋଲି ପୂର୍ବରୁ ଭାରତ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।
ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ । ୨୦୦୯ରେ ମୌସୁମୀ ୨୩ ମେ’ରେ କେରଳରେ ପହଞ୍ଚିଥିଲା ।