କାଲି ପୁଣି ବସିବ କ୍ୟାବିନେଟ ଅନ୍ ସିକ୍ୟୁରିିଟି (ସିଡିଏସ) ବୈଠକ, ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ର ସଫଳତା ପରେ ଆସନ୍ତା ବୁଧବାର ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ହେବାକୁ ଯାଉଛି। ଏହି ବୈଠକ ସମ୍ପ୍ରତି ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପ୍ରତିଶୋଧ ନେବା ପାଇଁ ଆରମ୍ଭ କରାଯାଇଥିବା ‘ଅପରେସନ ସିନ୍ଦୂର’ ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରିବା ପାଇଁ ଡକାଯାଇଛି। ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବରିଷ୍ଠ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହିବେ।

ସୂତ୍ର ଅନୁଯାୟୀ, ଏହି ବୈଠକରେ ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନର ଅଗ୍ରଗତି, ଗୁଇନ୍ଦା ସୂଚନାର ସ୍ଥିତି, ସେନା ଓ ଅର୍ଧସାମରିକ ବାହିନୀର ମୁତୟନ ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ଜବାବ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ସମୟରେ ମଧ୍ୟ ଏକ ବୈଠକ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସୁରକ୍ଷା ସହ ଜଡ଼ିତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗତ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାରତ ସରକାର ୭ ମେ’ରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଠିକଣାକୁ ଧ୍ୱଂସ କରିଥିଲା। ଭାରତର ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତର ଏହି ସଫଳ ଅପରେସନ ଯୋଗୁଁ ପାକିସ୍ତାନ ବିଚଳିତ ହୋଇପଡ଼ିଥିଲା ଏବଂ ସେ ଡ୍ରୋନ ଆକ୍ରମଣ ଆରମ୍ଭ କରିଥିଲା। ଭାରତ ପାକିସ୍ତାନର ଡ୍ରୋନ ଆକ୍ରମଣର ମଧ୍ୟ ଦୃଢ଼ ଜବାବ ଦେଇଥିଲା ଏବଂ ସମସ୍ତ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରି ଦେଇଥିଲା। ଏହା ସହ ଭାରତ ପାକିସ୍ତାନର ଏକ ଏୟାରବେସ୍‌କୁ ମଧ୍ୟ ନିଶାନା କରିଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନରୁ ଭୟଭୀତ ହୋଇ ପାକିସ୍ତାନ ଆମେରିକା ନିକଟକୁ ଯାଇ ଭାରତଠାରୁ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲା। ଏହା ପରେ ପାକିସ୍ତାନର ଡିଜିଏମଓ (ସାମରିକ ଅପରେସନ ମହାନିର୍ଦ୍ଦେଶକ) ଭାରତର ଡିଜିଏମଓଙ୍କ ସହ କଥାବାର୍ତ୍ତା କରି ସିଜଫାୟାର ପାଇଁ ଅନୁରୋଧ କରିଥିଲେ।

Leave A Reply

Your email address will not be published.