ଢାକା : ବାଂଲାଦେଶର ଦକ୍ଷିଣ-ପୂର୍ବାଞ୍ଚଳରେ ଥିବା ଚଟଗାଓଁ ହିଲ ଟ୍ରାକ୍ଟ୍ସ (CHT) ଅଞ୍ଚଳରୁ ଉଠୁଥିବା ସ୍ୱାୟତ୍ତଶାସନର ସ୍ୱର ଏବେ ଢାକା ସହ କ୍ଷମତାସୀନ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯେଉଁଭଳି ଭାବେ ପାକିସ୍ତାନ ବର୍ଷ ବର୍ଷ ଧରି ବଲୁଚିସ୍ତାନର ସ୍ୱରକୁ ଅଣଦେଖା କରିଥିଲା ଏବଂ ଆଜି ସେଠାରେ ଏକ ସଶସ୍ତ୍ର ବିଦ୍ରୋହାତ୍ମକ ଆନ୍ଦୋଳନ ସୃଷ୍ଟି ହୋଇଛି, ଠିକ୍ ସେହି ପଥରେ ଚଟଗାଓଁ ମଧ୍ୟ ଅଗ୍ରସର ହେଉଥିବା ଦେଖାଯାଉଛି। “ଚଟଗାଓଁ କ’ଣ ବାଂଲାଦେଶର ବଲୁଚିସ୍ତାନ ହେବ?”—ଏହି ପ୍ରଶ୍ନ ଏବେ କେବଳ ଏକ ଆଶଙ୍କା ନୁହେଁ, ବରଂ ରାଜନୈତିକ ଓ ସାମାଜିକ ସଙ୍କେତ ଅନୁଯାୟୀ ଏକ ସମ୍ଭାବ୍ୟ ବାସ୍ତବତା ପାଲଟିଛି। ମୁହମ୍ମଦ ଯୁନୁସଙ୍କ ସରକାର ଏହି ରିପୋର୍ଟ ଏବଂ ସାମ୍ପ୍ରତିକ ଘଟଣାକ୍ରମ ଯୋଗୁଁ ଗଭୀର ସଙ୍କଟରେ ଥିବା ଦେଖାଯାଉଛି।
ଗତ ୧୦ ମେ’ ୨୦୨୫ରେ ବାଂଲାଦେଶ ସଂସଦ ଭବନର ଏଲଡି ହଲ୍ରେ ଯୁନାଇଟେଡ ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ (UPDF) ଏବଂ ନ୍ୟାସନାଲ କନସେନସସ କମିସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିକେଲ ଚକମା ଚଟଗାଂଓଁ ହିଲ ଟ୍ରାକ୍ଟ୍ସ ପାଇଁ ସ୍ୱାୟତ୍ତଶାସନର ଦାବିକୁ ପୁନର୍ବାର ଉଠାଇଥିଲେ। ଏହି ଦାବି ଦଶନ୍ଧି ଧରି ଉଠି ଆସୁଥିଲେ ମଧ୍ୟ ବାଂଲାଦେଶ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିନାହିଁ। ଏହି ଅବହେଳା ଏବେ ଚଟଗାଂଓଁକୁ ଏକ ବିଦ୍ରୋହୀ ଅଞ୍ଚଳରେ ପରିଣତ କରୁଛି, ଯେଉଁଭଳି ବଲୁଚିସ୍ତାନ ପାକିସ୍ତାନ ପାଇଁ ହୋଇଛି।
ଏହି ବୈଠକ ପରେ ୧୨ ମେ’ରେ ରଙ୍ଗାମାଟିରେ ବଙ୍ଗାଳୀ ବସତି ସମର୍ଥକମାନେ ଏକ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ଆଦିବାସୀ ସମ୍ପ୍ରଦାୟ ବିରୋଧରେ ଖୋଲାଖୋଲି ଉସ୍କାନିମୂଳକ ବୟାନ ଦିଆଯାଇଥିଲା। ବଙ୍ଗାଳୀ ପ୍ରବାସୀ ନେତା କାଜୀ ମୁଜିବୁର ରହମାନ କହିଥିଲେ, “ଆମର ଭାଷା ମିଶୁ ନାହିଁ, ଶରୀର ମିଶୁ ନାହିଁ, ଖାଦ୍ୟପେୟ ମିଶୁ ନାହିଁ। ଆମେ ବହୁ ଆଗରୁ ଏମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ଚାହୁଁଛୁ। ତେଣୁ ଆମେ ବାଂଲାଦେଶକୁ ଅଲଗା ହେବାକୁ ଚାହୁଁଛୁ।