ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ଅତୁଟ ରହିପାରେ । କୋହଲି ୮୨ ଶତକ ସହ ତାଙ୍କ ପାଖାପାଖି ହୋଇଛନ୍ତି । ୨୦୧୨ରେ ଏକ କାର୍ଯ୍ୟକ୍ରମ ଅବସରରେ ସଚିନ କହିଥିଲେ ତାଙ୍କ ରେକର୍ଡ ରୋହିତ ଶର୍ମା କିମ୍ବା କୋହଲି ଭାଙ୍ଗିବା ଦକ୍ଷତା ରଖିଛନ୍ତି । କୋହଲି ଟି୨୦ ଓ ଟେଷ୍ଟରୁ ଅବସର ନେଇଥିଲେ ମଧ୍ୟ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି କହିଛନ୍ତି । ଯଦି କୋହଲି ଆଗାମୀ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଦଳରେ ରୁହନ୍ତି ତେବେ ଏହି ରେକର୍ଡ ଭାଙ୍ଗିପାରିବେ । କୋହଲିଙ୍କ ପଛକୁ ଆନ୍ତର୍ଜାତୀୟ କ୍ରିକେଟରେ ରିକି ପଂଟିଂ(୭୧), କୁମାର ସଙ୍ଗକାରା (୬୩), ଜ୍ୟାକ କାଲିସ(୬୨), ହାସିମ ଆମଲା(୫୫) ଓ ମାହେଲା ଜୟବର୍ଦ୍ଧନେ ୫୪ ଶତକ ମାରିଥିଲେ ମଧ୍ୟ ସେମାନେ କ୍ରିକେଟରୁ ଅବସର ନେଇ ସାରିଛନ୍ତି ।
ଏବେ କେବଳ ଜୋ ରୁଟ (୫୩), ଷ୍ଟିଭ ସ୍ମିଥ(୪୮) ଓ କେନ ୱିଲିୟମସନ (୪୮) ଶତକ ସହ ଏହି ଦୌଡରେ ରହିଛନ୍ତି । ଏହି ୩ ଜଣ ଖେଳାଳି ସଚିନଙ୍କ ରେକର୍ଡ ଭାଙ୍ଗିବା ସମ୍ଭବପର ମନେ ହେଉ ନାହିଁ । ୨୦୨୭ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ଏହା ପୂର୍ବରୁ ଭାରତ ବାଂଲାଦେଶ, ଅଷ୍ଟ୍ରେଲିଆ, ଏସିଆ କପ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ ୨୭ ଦିନିକିଆ ମ୍ୟାଚ ଖେଳିବ । କୋହଲି ଚମତ୍କାର ପ୍ରଦର୍ଶନ ଜାରି ରଖିଲେ ଏହା କେବଳ ତାଙ୍କ ପକ୍ଷେ ସମ୍ଭବ ମନେ ହେଉଛି ।
ଦିନିକିଆ କ୍ରିକେଟରେ ସଚିନଙ୍କ ସର୍ବାଧିକ ୫୧ ଶତକର ରେକର୍ଡ ମଧ୍ୟ କୋହଲି ଭାଙ୍ଗିଛନ୍ତି । ୩୦ ମ୍ୟାଚରୁ ୧୮ ଶତକ ହାସଲ ସହଜ ହୋଇ ନ ଥିଲେ ମଧ୍ୟ ଅସମ୍ଭବ ନୁହେଁ । ଏହା ବ୍ୟତୀତ ଦିନିକିଆ ବିଶ୍ୱକପରେ ମଧ୍ୟ ସେ କେତେକ ମ୍ୟାଚ ଖେଳିବା ସୁଯୋଗ ରହିଛି । ଟିମ ଇଣ୍ଡିଆରେ ତିଷ୍ଠି ରହିବାକୁ ହେଲେ କୋହଲି ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିବାକୁ ପଡିବ ।