ରାଜ୍ୟରେ ଅଘଟଣ : ଦିନକରେ ବଜ୍ରପାତ ନେଲା ୧୧ଜୀବନ, ଅନେକ ଆହତ

ଭୁବନେଶ୍ବର: କାଳବୈଶାଖୀ ହେଲା କାଳ । ବଜ୍ରପାତ ଯୋଗୁଁ କୋରାପୁଟ, ଗଂଜାମ, ଯାଜପୁର, ‌ଢେଙ୍କାନାଳ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ  ମୋଟ୧୧ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏକାଧିକ ଆହତ ହୋଇଛନ୍ତି ।

ବଜ୍ରପାତ ଯୋଗୁଁ କୋରାପୁଟ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗଂଜାମରେ ୨ଜଣ,ଯାଜପୁର ଜିଲ୍ଲା ରେ ୨ଜଣ, ଢେଙ୍କାନାଳ ଜିଲ୍ଲାରେ ୨ଜଣ, ମୟୂରଭଞ୍ଜ ଜିଲ୍ଲା ଜଣଙ୍କର ମୃତ୍ୟୁ ହୋଇଥିବାରସୂଚନା ରହିଛି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ପର୍ଡିଗୁଡ଼ା ଗାଁରେ କାଳ ସାଜିଲା କାଳବୈଶାଖୀ । ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ କାରଣରୁ ଏପରି ଅଘଟଣ ଘଟିଯାଇଛି । ସେମିଳିଗୁଡା ପଞ୍ଚାୟତ ସମିତି ଅଧୀନସ୍ଥ ଚାରାଙ୍ଗୁଲ ପଞ୍ଚାୟତର ଖାଲପାଡ଼ି ଗ୍ରାମରେ କୁମ ଜାନିଙ୍କ ପୁଅ ଦାସ ଜାନି (୩୨) ନାମକ ଯୁବକ ନଦୀକୁ ମାଛ ଧରିବା ପାଇଁ ଯାଇଥିଲା। ପ୍ରାୟ ଗୋଟେରୁ ଦୁଇଟା ମଧ୍ୟରେ ପ୍ରବଳ କାଳବୈଶାଖୀ ବର୍ଷା ସହିତ ଘଡ଼ଘଡ଼ି ମାରିଥିଲା। ସେହି ବଜ୍ରପାତ ଦାସ ଜାନିଙ୍କ ଜୀବନ ନେଇଛି ।

ସେହିପରି ଯାଜପୁରରେ ବଜ୍ରାଘାତରେ ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଜେନାପୁର ଥାନା ବୁରୁସାହିର ୨ ନାବାଳକଙ୍କ ଜୀବନ ଚାଲିଯାଇଛି । ଗାଁଦାଣ୍ଡରେ ଖେଳୁଥିବା ବଜ୍ରାଘାତ ନେଲା ୨ ନାବାଳକଙ୍କ ଜୀବନ । ମଣି ହେମ୍ବ୍ରମଙ୍କ ପୁଅ ତାରା (୯) ଓ ପାଣ୍ଡେ ଚାତାରଙ୍କ ପୁଅ ଜାଖୁନ (୧୨)ଙ୍କର ମୃତ୍ୟୁ ଘଟିଛି।

ଗଞ୍ଜାମ ବେଲଗୁଣ୍ଠା ଥାନା କେବିରି ବରପୁର ଗ୍ରାମରେ ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଯୁବତୀ । ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ଝିଅ ରୀତା ଗୌଡ଼(୩୦) ନିକଟସ୍ଥ ଆମ୍ବତୋଟାକୁ ଯାଇଥିଲେ। ବଜ୍ରପାତରେ ସେ ଟଳି ପଡ଼ିଥିଲେ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ୧୩ବର୍ଷର ପୁଅ ଓମ୍‌ପ୍ରକାଶ ପ୍ରଧାନଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ଗାଁ ଖେଳ ପଡ଼ିଆରେ କ୍ରିକେଟ୍‌ ଖେଳୁଥିବା ସମୟରେ ବଜ୍ରପାତ ନେଲା ଜୀବନ ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ହେଲେ ସୁରୁଷି ବିଶ୍ୱାଳ(୪୦)। ଘର ସାମ୍ନାରେ ଥିବାବେଳେ ଅଚାନକ ବଜ୍ରପାତ ହୋଇଥିଲା। ଗଁଦିଆ ଥାନା କାବରା ଗାଁରେ ବିଲ କାମ ସାରି ସନାତନ ଦିଆଣି(୪୫) ଘରକୁ ଫେରୁଥିଲେ। ହଠାତ୍‌ ବଜ୍ରପାତ ତାଙ୍କ ଉପରେ ପଡିଥିଲା । ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ‌ସୂଚନା ରହିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟିଂ ଗ୍ରାମର ଚୁନାରାମ କିସ୍କୋ (୩୧) ଔପଡା ବନ ବିଭାଗ ଅଧିନରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ଣରେ ଅଫିସରୁ କାମ ସାରି ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

Leave A Reply

Your email address will not be published.