ଯୋଡା: ସ୍ଥାୟୀ ଜଳ ପରିଚାଳନା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ପରିବେଶ ଅନୁକୂଳ ଅଞ୍ଚଳ ଓ ଇକୋ-ଟୁରିଜିମ ସ୍ଥଳଗୁଡ଼ିକ ପାରିପାର୍ଶ୍ୱିକ ଅଞ୍ଚଳ ଓ ସ୍ଥାନୀୟ ପୋଖରୀଗୁଡ଼ିକର ରୂପାନ୍ତରଣ କରାଯାଉଛି । କମ୍ପାନୀ ପକ୍ଷରୁ ଗୁଆଲି ନିକଟସ୍ଥ ନୂଆଗାଁ ମନ୍ଦିର ପୋଖରୀର ରୂପାନ୍ତରଣ କରାଯାଇଛି ।
ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ଅନୁରୋଧ ପୂରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରକଳ୍ପରେ ମୁଖ୍ୟ ପୋଖରୀର ପୁନରୁଦ୍ଧାର ସମେତ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗାଧୁଆ ସ୍ଥଳ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ପୋଖରୀର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ସାଂସ୍କୃତିକ ମୂଲ୍ୟବୋଧରେ ମଧ୍ୟ ଉନ୍ନତି ଆଣୁଛି ।
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୁଆଲି ଓ କଳମଙ୍ଗ ଅଞ୍ଚଳର ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗୋଷ୍ଠୀ ବିକାଶ, ପାନୀୟ ଜଳ, ସୌର ଶକ୍ତି, ଭିତ୍ତିଭୁମି ଓ ଦକ୍ଷତା ବିକାଶ ଆଦି କ୍ଷେତ୍ର ପ୍ରତି ଯୋଗଦାନ ଦିଆଯାଉଛି ।
ପୋଖରୀ ରୂପାନ୍ତରଣ ପ୍ରକଳ୍ପରେ ୫୦୦ରୁ ଅଧିକ ଚାରା ଓ ଫୁଲ ଗଛ ଲଗାଯାଇଛି ଯାହା ସବୁଜ ବଳୟକୁ ବଢ଼ାଇଛି । ଏହା ବ୍ୟତୀତ ପରିବେଶ ଅନୁକୂଳ ଗାଧୁଆତୁଠ ଓ ସ୍ୱଚ୍ଛତା ତଥା ପରିମଳ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ଭୂତଳ ଜଳ ରିଚାର୍ଜ କରିବ ଓ ଜଳ ସାରଣୀ ସ୍ତର ବଢ଼ାଇବାରେ ସହାୟକ ହେବ ଏବଂ ଏକ ସ୍ୱଚ୍ଛ ଓ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବ । ପକ୍ଷୀ, କୀଟ ଓ ଗଛଲତା ଆଦିକୁ ଆକୃଷ୍ଟ କରିବା ସହ ଜୈବ ବିବିଧତାରେ ଉନ୍ନତି ଓ ଚାଷବାସରେ ମଧ୍ୟ ଏହା ସହାୟକ ହେବ ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡ଼ା ବ୍ଲକର ଅଧ୍ୟକ୍ଷ କବିନ୍ଦ୍ର ନାଏକ, ବିଦ୍ୟାଧର ନାୟକ,ସରପଞ୍ଚ, ଗୁଆଳି ଗ୍ରାମ ପଞ୍ଚାୟତ, କୁଷ ଆପଟ, ସାମାଜିକ କର୍ମୀ, ଟାଟା ଷ୍ଟିଲ ଲିମିଟେଡର ମହାପ୍ରବନ୍ଧକ (ଓଏମକ୍ୟୁ) ଅତୁଲ କୁମାର ଭଟ୍ଟନାଗର, ଦୀପକ ବେହେରା, ଟାଟା ଷ୍ଟିଲ କଳମଙ୍ଗ ଏବଂ ଗନ୍ଧଳପଡା ପ୍ରକଳ୍ପ ମୁଖ୍ୟ, ଦାବରା ମୁଣ୍ଡା, ପୂର୍ବତନ ସରପଞ୍ଚ, ଗୁଆଲି ଗ୍ରାମ ପଞ୍ଚାୟତ, ଝୁରିଆ ମୁଣ୍ଡା, ସାମାଜିକ କର୍ମୀ, ବିଳାସିନୀ ଓରାମ, ସରପଞ୍ଚ, ଲୋଇଡାପଡା ଗ୍ରାମପଞ୍ଚାୟତ ଓ ଅନ୍ୟ ସମ୍ମାନନୀୟ ଅତିଥି ଯୋଗ ଦେଇଥିଲେ ।