ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା; ଜୋମାଟୋ ପ୍ଲାଟଫର୍ମ ଫି ୨୦% ବୃଦ୍ଧି

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିବ। ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ (Zomato)ଏହାର ସେବା ପାଇଁ ପ୍ଲାଟଫର୍ମ ଫି ୨୦ପ୍ରତିଶତ ବୃଦ୍ଧି କରିଛି।

ଜୋମାଟୋ ଏବେ ପ୍ରତ୍ୟେକ ଅର୍ଡର ପାଇଁ ୧୨ ଟଙ୍କା ପ୍ଲାଟଫର୍ମ ଶୁଳ୍କ ନେବ, ଯାହା ପୂର୍ବରୁ ୧୦ ଟଙ୍କା ଥିଲା। ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ କମ୍ପାନୀର ଲାଭ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ଲାଟଫର୍ମ ଶୁଳ୍କ ବୃଦ୍ଧି କରିଛି।

ଜୋମାଟୋ ଏପ୍ରିଲ ୨୦୨୩ ରୁ ଖାଦ୍ୟ ଅର୍ଡର କରିବା ପାଇଁ ଏହାର ଉପଭୋକ୍ତାଙ୍କ ଠାରୁ ପ୍ଲାଟଫର୍ମ ଫି ଆଦାୟ କରିବା ଆରମ୍ଭ କରିଥିଲା। ସେତେବେଳେ, ଜୋମାଟୋ ପ୍ରତ୍ୟେକ ଅର୍ଡର ପାଇଁ ତାହାର ଉପଭୋକ୍ତାଙ୍କ ଠାରୁ କେବଳ ୨ ଟଙ୍କା ପ୍ଲାଟଫର୍ମ ଫି ନେଉଥିଲା। କିନ୍ତୁ, କମ୍ପାନୀ ଗତ ଅଢ଼େଇ ବର୍ଷ ମଧ୍ୟରେ ଏହାର ପ୍ଲାଟଫର୍ମ ଫିସ୍ ଅନେକ ଥର ବୃଦ୍ଧି କରିଛି, ଯାହା ଯୋଗୁଁ ଏହା ଏବେ ୨ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି ପାଇଛି।

ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଜୋମାଟୋ ସାରା ଦେଶରେ ଦୈନିକ ପ୍ରାୟ ୨୩ ରୁ ୨୫ ଲକ୍ଷ ଅର୍ଡର ଡେଲିଭରି କରେ। ଅର୍ଥାତ୍ ୧୨ ଟଙ୍କା ପ୍ଲାଟଫର୍ମ ଫି ସହିତ, କମ୍ପାନୀ ଏବେ ଦୈନିକ ପ୍ରାୟ ୩ କୋଟି ଟଙ୍କା ରାଜସ୍ୱ ସୃଷ୍ଟି କରିବ, ଯାହା ପୂର୍ବରୁ ୧୦ ଟଙ୍କା ହାରରେ ପ୍ରାୟ ୨.୫ କୋଟି ଟଙ୍କା ଥିଲା। ଏହା ଯୋଗୁଁ, କମ୍ପାନୀ ପ୍ରତି ତ୍ରୈମାସିକରେ ପ୍ରାୟ ୪୫ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ପାଇବ।

ଜୋମାଟୋ ପୂର୍ବରୁ ସ୍ୱିଗି ଗତ ମାସରେ ଫୁଡ ଡେଲିଭରି ଅର୍ଡର ପାଇଁ ଏହାର ପ୍ଲାଟଫର୍ମ ଫିସ୍ ୨ ଟଙ୍କା ବୃଦ୍ଧି କରିଥିଲା। ଯାହା ୧୨ ଟଙ୍କାରୁ ୧୪ ଟଙ୍କାକୁ ବୃଦ୍ଧି ହୋଇଥିଲା ।

Leave A Reply

Your email address will not be published.