ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବହୁ ଆଲୋଚନା ହୋଇଛି। ଶାନ୍ତ ସ୍ବଭାବ, ଦୃଢ଼ ମନୋବଳ, ମ୍ୟାଚ୍ ଫିନିସର୍, ଉଚ୍ଚ ଶ୍ରେଣୀୟ ୱିକେଟ୍ରକ୍ଷଣ, ଦଳୀୟ ମନୋଭାବ, ଅସାଧାରଣ ଆତ୍ମବିଶ୍ବାସ ଏସବୁର ଗୁଣ, ଦକ୍ଷତା ଓ ଚରିତ୍ରରେ ଭରପୁର ଥିଲେ ମହେନ୍ଦ୍ର ସିଂହ ଧୋନି। ‘ମାହି’ ନାମରେ ନିଜ ପ୍ରଶଂସକଙ୍କ ହୃଦୟରେ ରହିଥିଲେ। ଭାରତୀୟ କ୍ରିକେଟର୍ ଏହି ଅନ୍ୟତମ ସଫଳ ଅଧିନାୟକଙ୍କ ସମ୍ପର୍କରେ ରବିବାର କିନ୍ତୁ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଭିନ୍ନ ଧରଣର ଅନୁଶୀଳନ କରିଛନ୍ତି। କ୍ରିକେଟ୍ରୁ ଅବସର ପରେ ଭାଜପା ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଗମ୍ଭୀର କହିଛନ୍ତି ଧୋନି ଯଦି ଭାରତୀୟ ଦଳର ନେତୃତ୍ବ ନେଇନଥା’ନ୍ତେ ଏବଂ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଜାରି ରଖିଥା’ନ୍ତେ ତାହାଲେ ସେ ନିଶ୍ଚିତ ଜଣେ ଚମତ୍କାର ଖେଳାଳି ଭାବେ ଉଭା ହୋଇଥା’ନ୍ତେ। ଏହି ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ‘ସମ୍ପୂର୍ଣ୍ଣ ଭିନ୍ନ ଧରଣର ଖେଳାଳି’ ହୋଇଥା’ନ୍ତେ ବୋଲି ଗମ୍ଭୀର କହିଛନ୍ତି।
୨୦୦୪ ମସିହାରେ ଧୋନି ଭାରତୀୟ ଦଳ ପାଇଁ ପଦାର୍ପଣ କରିବା ସହ ୩ ନମ୍ବରରେ ବ୍ୟାଟିଂ କରି ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୦୫ରେ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଦୁଇଟି ବିସ୍ଫୋରକ ଦିନିକିଆ ଶତକ ହାସଲ କରିଥିଲେ। ଧୋନି ୩୫୦ ଦିନିକିଆ ଖେଳି ୨୯୭ ପାଳିରେ ବ୍ୟାଟିଂ କରିଥିଲେ। କିନ୍ତୁ ସେ ମାତ୍ର ୧୬ ଦିନିକିଆରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ୯୯୩ ରନ୍ କରିଥିଲେ। ଯାହାର ହାରାହାରି ୮୨ ଉପରେ ଏବଂ ଷ୍ଟ୍ରାଇକ ରେଟ୍ ୧୦୦ ପାଖାପାଖି ରହିଛି। ସେ ସଂଗ୍ରହ କରିଥିବା ୧୦, ୭୭୩ ରନ୍ ୫ ଓ ୬ ନମ୍ବର ସ୍ଥାନ ବ୍ୟାଟିଂରୁ ପାଇଥିଲେ। ‘ବିଶ୍ବ କ୍ରିକେଟ୍ ଗୋଟିଏ କଥାରୁ ବଞ୍ଚିତ ରହିଛି। ଧୋନି ଅଧିନାୟକ ନ ହୋଇ ଯଦି ୩ ନମ୍ବର ସ୍ଥାନରେ ବ୍ୟାଟିଂ ଜାରି ରଖିଥା’ନ୍ତେ ତେବେ ଜଣେ ସମ୍ପୂର୍ଣ୍ଣ ଭିନ୍ନ ଖେଳାଳି ହୋଇପାରିଥା’ନ୍ତେ। ଅଧିକ ରନ୍ କରିଥା’ନ୍ତେ, ସମ୍ଭବତଃ ଅଧିକ କୀର୍ତ୍ତିମାନ ଛାଡ଼ି ଯାଇଥା’ନ୍ତେ। ଜଣେ ଚମତ୍କାର କ୍ରିକେଟର୍ ଭାବେ ମଧ୍ୟ ଉଭା ହୋଇଥା’ନ୍ତେ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ବିଶ୍ବ କ୍ରିକେଟ୍ରେ ଏବେ ଯେଭଳି ବୋଲିଂ ରହିଛି ଓ ଫ୍ଲାଟ୍ ୱିକେଟ୍ ଉପଲବ୍ଧ ଧୋନି ନିଶ୍ଚିତ ଅଧିକ ରନ୍ କରିଥା’ନ୍ତେ ବୋଲି ତାଙ୍କ ୨୦୧୧ ବିଶ୍ବକପ୍ ବିଜୟୀ ସାଥୀ ଗମ୍ଭୀର ପ୍ରକାଶ କରିଥିଲେ।
୨୦୧୯ ବିଶ୍ବକପ୍ ପରଠାରୁ ଧୋନି ଆଉ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳିନାହାନ୍ତି। ଆଇପିଏଲ୍-୧୩ ମାଧ୍ୟମରେ ଫେରିବା ସମ୍ଭାବନା ଥିଲେ ମଧ୍ୟ କୋଭିଡ୍-୧୯ ମହାମାରୀ ଏହାକୁ ଅଟକାଇ ଦେଇଛି। ଚଳିତ ବର୍ଷ ଶେଷ ଆଡକୁ ଯଦି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ୍ ସମ୍ଭବ ହୁଏ ତେବେ ଧୋନି ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବେ କି ନା ସ୍ପଷ୍ଟ ହୋଇଯିବ। ପାକିସ୍ତାନ ୱିକେଟରକ୍ଷକ କାମରାନ୍ ଆକମଲ କହିଛନ୍ତି ବିଶ୍ବକପ୍ ପାଇଁ ଧୋନି ଭାରତର ପ୍ରଥମ ପସନ୍ଦ ୱିକେଟରକ୍ଷକ ହେବା ଉଚିତ୍। ଭାରତୀୟ ଅଫସ୍ପିନର୍ ହରଭଜନ ସିଂହ କିନ୍ତୁ କହିଥିଲେ, ‘ଧୋନି ସମ୍ଭବତଃ ଭାରତ ପାଇଁ ଆଉ ଖେଳିବାକୁ ଆଗ୍ରହୀ ନାହାନ୍ତି, ଦେଶ ପାଇଁ ସେ ଢେର ଖେଳି ସାରିଛନ୍ତି’।
Comments are closed, but trackbacks and pingbacks are open.