ନୂଆଦିଲ୍ଲୀ: ମୋଦି ସରକାର ଗତ ଏକ ମାସ ମଧ୍ୟରେ ସ୍କ୍ରାପ୍ ବିକ୍ରୟ କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି।ଯାହାକି ଚନ୍ଦ୍ରାୟନ-୩ର ବଜେଟ ଠାରୁ ମଧ୍ୟ ଅଧିକ ଅଟେ। ଏହି ଚନ୍ଦ୍ରୟାନ-୩ ମୂଲ୍ୟ ୬୧୫ କୋଟି ଥିବା ନେଇ ଜଣାପଡ଼ିଛି।
ଏହି ଅଭିଯାନ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଓ ସରକାର ପ୍ରାୟ ୨୩.୨ ନିୟୁତ ବର୍ଗଫୁଟ ସ୍ଥିତ ଅଫିସର ସମସ୍ତ ସ୍ଥାନ ସଫା କରିବା ସହ ଏଥିରୁ ୨.୯ ନିୟୁତ ଅଦରକାରୀ ଫାଇଲ ପାଇଥିଲେ। ଏହା ୨୦୨୧ରେ ଆରମ୍ଭ ହୋଇଥିଲା ଏବଂ ଗତ ମାସର ଆୟକୁ ମିଶାଇଲେ ବର୍ତ୍ତମାନ୍ ସୁଦ୍ଧା ପ୍ରାୟ ୪୧୦୦ କୋଟି ଟଙ୍କା ରୋଜଗାର ହୋଇସାରିଛି।
୨୦୨୧ ମସିହାରୁ ଏହିପରି ପାଞ୍ଚଟି ଅଭିଯାନ କରାଯାଇଛି ଓ ଏଥିରେ ଡକ୍ଟର ଜିତେନ୍ଦ୍ର ସିଂହ, ମନସୁଖଭାଇ ମାଣ୍ଡଭିଆ ଏବଂ କେ. ରାମ ମୋହନ ନାଇଡୁଙ୍କୁ ଏଗୁଡ଼ିକୁ ସଫା କରିବାର ଦାୟିତ୍ୱ ଦିଆଯାଇଥିଲା। ଏଥିରେ ପ୍ରାୟ ୨୩.୬୨ ଲକ୍ଷ କାର୍ଯ୍ୟାଳୟ ସଫା ହୋଇଥିବା ବେଳେ ଏହା ଅଧୀନରେ ୯୨୮.୮୪ ଲକ୍ଷ ବର୍ଗଫୁଟ ସ୍ଥାନ ସଫା ହୋଇଛି।
ମୋଦି ସରକାରଙ୍କ ସ୍ୱଚ୍ଛତା ଅଭିଯାନରେ ୧୬୬.୯୫ଟି ଭୌତିକ ଫାଇଲ୍ ବନ୍ଦ କରି ହଟାଯାଇଥିଲା ଓ ଏହି ସମସ୍ତ ସ୍କ୍ରାପ୍ ବିକ୍ରୟ କରି ୪,୦୯୭.୨୪ କୋଟି ଟଙ୍କା ରୋଜଗାର କରାଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ଏହା ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର ଅଂଶ ହେବା ସହ ସମସ୍ତ ଅଦରକାରୀ ଜିନିଷକୁ ସମ୍ପତ୍ତିରେ ପରିଣତ କରିଥିବା ନେଇ ପିଏମଓ/ଡିଓପିଟି ରାଜ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି । ଏଥିସହିତ ଏହି ଆୟରେ ଛଅଟି ଚନ୍ଦ୍ରଯାନ ପରିଚାଳିତ ହୋଇପାରିବ ବୋଲି ମଧ୍ୟ ସେ କହିଛନ୍ତି।