ମଣିପୁର ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି ; ରାହୁଲ ଗାନ୍ଧୀ

ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୃହରେ ବିବୃତି ରଖିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ମୁଖ୍ୟାଳୟରେ ଅଧୀର ରଞ୍ଜନ ଚୌଧୁରୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି । ଯେଉଁଥିରେ ପୁଣି ସେ ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପ୍ରାୟ ୨ ଘଣ୍ଟା ୧୩ ମିନିଟ୍ କାଳ ଭାଷଣ ଦେଇଥିବା ବେଳେ ମଣିପୁର ପ୍ରସଙ୍ଗରେ ମାତ୍ର ୨ ମିନିଟ୍ କହିଥିଲେ । ମଣିପୁର ମାସେ ଧରି ଜଳୁଛି, ଲୋକଙ୍କୁ ହତ୍ୟା କରାଯାଉଛି, ବଳାତ୍କାର କରାଯାଉଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି । ସେ ହସିକି ମଣିପୁର ହିଂସାକୁ ପରିହାସ କରିଛନ୍ତି । ମଣିପୁରର ସ୍ଥିତି ଯାହା ରହିଛି, କେନ୍ଦ୍ର ସରକାର ଚାହିଁଲେ ଦୁଇ ଦିନରେ ସ୍ଥିତି ନିୟନ୍ତ୍ରଣ କରି ପାରିଥାନ୍ତେ । ମାତ୍ର ସେପରି କିଛି ନିଷ୍ପତି ନିଆଯାଇ ନାହିଁ ।

ରାହୁଲ ଆହୁରି କହିଛନ୍ତି ଯେ, ୧୯ ବର୍ଷର ଅଭିଜ୍ଞତାରେ ମୁଁ ମଣିପୁରରେ ଯାହା ଦେଖିଛି ଏବଂ ଶୁଣିଛି, ତାହା ମୁଁ ପୂର୍ବରୁ କେବେ ଦେଖି ନଥିଲି। ମୁଁ ସଂସଦରେ କହିଥିଲି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାରତ ମାତାଙ୍କୁ ହତ୍ୟା କରିଛନ୍ତି, ମଣିପୁରରେ ଭାରତକୁ ଧ୍ୱଂସ କରିଦେଇଛନ୍ତି। ଏଗୁଡ଼ିକ ଫମ୍ପା ଶବ୍ଦ ନୁହେଁ । ଭାରତୀୟ ସେନା ମଣିପୁର ଡ୍ରାମାକୁ ଦୁଇ ଦିନରେ ବନ୍ଦ କରିପାରିବ । କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ଜାଳିଦେବାକୁ ଚାହୁଁଛନ୍ତି, କିନ୍ତୁ ନିଆଁ ଲିଭାଇବାକୁ ଚାହୁଁନାହାଁନ୍ତି ।

ସୂଚନା ଥାଉକି, ଗତକାଲି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିବୃତି ଦେଉଥିବା ବେଳେ କକ୍ଷ ତ୍ୟାଗ କରିଥିଲେ ସମସ୍ତ ମୋଦୀ ବିରୋଧୀ ନେତା । ଉଭୟ ସଦନରେ ଆଜି ମୌସୁମୀ ଅଧିବେଶନ ୨୦୨୩ ଶେଷ ହୋଇଛି । ଆଜି ଅଧିବେଶନର ଶେଷ ଦିନ ଥିବା ବେଳେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛି ।

Leave A Reply

Your email address will not be published.