ଚୀନର ଅଭିଯୋଗକୁ ଖଣ୍ଡନ କଲା ଭାରତ: ଏଲ୍ଏସି ଅତିିକ୍ରମ କରିନି ଭାରତୀୟ ସେନା, ପାଙ୍ଗୋଙ୍ଗ ହ୍ରଦ ନିକଟରେ ଗୁଳି ଚାଳନା ହୋଇନି
ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି)କୁ ଅତିକ୍ରମ କରି ଗୁଳି ଚଳାଇଛି ବୋଲି ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର (ସେପ୍ଟେମ୍ବର ୮) ଚୀନ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିବା ସୂଚନା ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁୁହାଯାଇଛି ଯେ ଚୀନ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି। ଭାରତୀୟ ସେନା ଆଦୌ ବି ସୀମା ଅତିିକ୍ରମ କରିନାହିଁ, ଗୁଳି ଚଳାଇନି କିମ୍ବା କୌଣସି ପ୍ରକାରର ଉତ୍ତେଜନାମୂଳକ ଆଚରଣ ଦେଖାଇନି।
ବିବୃତ୍ତିରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଚୀନ ସାମରିକ, କୂଟନୈତିକ ଓ ରାଜନୈତିକ ସ୍ତରରେ ସକ୍ରିୟ ରହି ଖୋଳାଖୋଲି ଭାବେ ଚୁକ୍ତି ଉଲ୍ଲଂଘନ କରିବା ସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛି। ଗତକାଲି ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି)ଠାରେ ଭାରତ ନୁହେଁ ବରଂ ଚୀନ ସେନାର ଯବାନମାନେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ।