ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡ଼ିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକ ନେବେ ନିର୍ବାଚନ ଦାୟିତ୍ୱ । ମେଂଟ ଚର୍ଚ୍ଚାରେ ସଡନ୍ ବ୍ରେକ୍ ଲଗାଇଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ଦିଲ୍ଲୀରୁ ଫେରି ମନମୋହନଙ୍କ ସିଧାକଥା ବିଜେଡି-ବିଜେପି ମେଂଟ ସମ୍ଭାବନାକୁ ପାଣିଚିଆ କରିଦେଇଛି । ପ୍ରଶ୍ନ, ଚବିଶ ରଣଭୂମିକୁ ଏହା ଓହ୍ଲାଇବ କି ବିଜେପି ? ମନମୋହନଙ୍କ ଉତ୍ତର ସବୁ କଳ୍ପନାଜଳ୍ପନାରେ ବ୍ରେକ୍ ଲଗାଇଛି । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ସୋସିଆଲମିଡିଆ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ଲଢିବ ଆଉ ସରକାର କରିବ ।
ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ କହିଲେ ସଭାପତି ‘ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ’ । ବିଜେପି ଏକାକୀ ସରକାର କରିବ ବୋଲି ପୁଣି ଦୃଢ଼ୋକ୍ତି କଲେ ମନମୋହନ । ମନମୋହନ ସାମଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଓଡିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଓ ସରକାର ବି କରିବ । ଏଥର ଓଡିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ୱ ନେଇ ଏହି ନିର୍ବାଚନ ଲଢିବେ ଓ ସରକାର କରିବେ ।