ସ୍କିଲ୍ ପରିସଂସ୍ଥାନକୁ ଗତି ଦେବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସ୍କିଲ୍ ଇଣ୍ଡିଆ ମିଶନର ପରିସରକୁ ସମ୍ପ୍ରସାରଣ କରିବା ସହ ଦକ୍ଷତା କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବ – ଧର୍ମେନ୍ଦ୍ର ପ୍ରଧାନ

• ଏସଡିଆଇ ଭୁବନେଶ୍ୱରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ କେନ୍ଦ୍ର ଯଥା ଏଚଭିଏସି ଏବଂ ମିଡିଆ ଏବଂ ମନୋରଞ୍ଜନ କେନ୍ଦ୍ର ଲୋକାର୍ପିତ
• ମିଡିଆ ଏବଂ ମନୋରଞ୍ଜନ ପାଇଁ ଉକ୍ତ କେନ୍ଦ୍ରରେ ଗ୍ରାଫିକ୍ ଡିଜାଇନ, ସୋସିଆଲ ମିଡିଆ ମ୍ୟାନେଜର, ଡିଜିଟାଲ ମାର୍କେଟିଂ ମ୍ୟାନେଜର, ଭିଡିଓ ଏଡିଟିଂ, ସାଉଣ୍ଡ ଏଡିଟିଂ, ଭିଡିଓ ବ୍ଲଗର ଏବଂ ଡିଜିଟାଲ/ଷ୍ଟିଲ୍ ଫଟୋଗ୍ରାଫି ଇତ୍ୟାଦି ପାଠ୍ୟକ୍ରମ ପ୍ରଦାନ କରାଯିବ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ
• ନିଜବଡ୍ ଏବଂ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଶ୍ରମ ମନ୍ତ୍ରଣାଳୟ ଓ ଇପିସିଏଚ, ଡିଜିଟି ଓ ଫ୍ୟୁଚର୍ ରାଇଟ୍ସ ସ୍କିଲ୍ ନେଟଓ୍ୱାର୍କ ସହ ପୃଥକ ଏମଓୟୁ ସ୍ୱାକ୍ଷରିତ
• ସ୍କିଲ୍ ଇଣ୍ଡିଆ ଓ ପିଏମକେଭିଓ୍ୱାଇ ଅନ୍ତର୍ଗତ ପିଏମ ବିଶ୍ୱକର୍ମା ଅନ୍ତର୍ଗତ ଶିଳ୍ପ ସମୂହଙ୍କ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ ପାଇଁ ବୁଝାମଣା
• ଏଆଇ ଏବଂ ଅନ୍ୟାନ୍ୟ ସୀମାନ୍ତ କ୍ଷେତ୍ରରେ ୪ଟି ନ୍ୟୁ ଏଜ୍ କୋର୍ସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ପ୍ରଧାନମନ୍ତ୍ରୀଙ୍କ ସମୟକୁ ଆଗକୁ ଦେଖିବାର କଳ୍ପନାକୁ ଅନୁସରଣ କରିବା ପାଇଁ କଲେ ଆହ୍ୱାନ
• ରିଲ୍ସ କେବଳ ମନୋରଞ୍ଜନ ପାଇଁ ନୁହେଁ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାର ହେବ ମାଧ୍ୟମ
• ଲାଭାର୍ଥୀଙ୍କୁ ପାରଦର୍ଶୀ ଉପାୟରେ ସବୁ ସୁବିଧା ମିଳିବା ଭଳି ମେକାନିଜିମ୍ ତିଆରି ହେଉ
• ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୧୪ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ସ୍କିଲ୍ ପରିସଂସ୍ଥାନକୁ ମଜଭୂତ୍ କରିବା ସହ ଗତି ଦେବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଆଜିର ବୁଣାମଣା ପତ୍ର ଓ ଲୋକାର୍ପିତ ପଦକ୍ଷେପ ଗୁଡିକ ସ୍କିଲ୍ ଇଣ୍ଡିଆ ମିଶନର ପରିସରକୁ ଅଧିକ ସମ୍ପ୍ରସାରଣ କରିବା ସହ ଦେଶର ଅଧିକାଂଶ ଜନସଂଖ୍ୟାକୁ ଦକ୍ଷତା ପରିସରକୁ ଆଣିବ । ଆମର ଯୁବବର୍ଗ ଏବଂ କର୍ମଚାରୀମାନଙ୍କୁ ବିକଶିତ ନୂତନ ବିଶ୍ୱ ବ୍ୟବସ୍ଥାରେ ଅଗ୍ରଣୀ ଭାବରେ ଉଭା ହେବା ପାଇଁ ସଠିକ୍ ଦକ୍ଷତା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରମନ୍ତ୍ରୀ ଏନଏସଡିସି ସହଯୋଗରେ ଦକ୍ଷତା ବିକାଶ କେନ୍ଦ୍ର(ଏସଡିଆଇ), ଭୁବନେଶ୍ୱରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ କେନ୍ଦ୍ର ଯଥା ଏଚଭିଏସି ଏବଂ ମିଡିଆ ଏବଂ ମନୋରଞ୍ଜନ ପାଇଁ ଉତ୍କର୍ଷ କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ସେ କହିଛନ୍ତି ଯେ ଏସଡିଆଇ, ଭୁବନେଶ୍ୱରରେ ଲୋକାର୍ପିତ ହୋଇଥିବା ଉତ୍କର୍ଷ କେନ୍ଦ୍ର ଯୁବବର୍ଗଙ୍କୁ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅଧିକ ଦକ୍ଷ କରିବ । ଏସଡିଆଇ ଭୁବନେଶ୍ୱରରେ ଏଚଭିଏସି ଏବଂ ମିଡିଆ ଆଣ୍ଡ୍ ମନୋରଞ୍ଜନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ ଓଡ଼ିଶାର ଦକ୍ଷତାକୁ ଆଗକୁ ବଢାଇବା ଦିଗରେ ଅଧିକ ଶକ୍ତି ପ୍ରଦାନ କରିବ । ମିଡିଆ ଏବଂ ମନୋରଞ୍ଜନ ପାଇଁ ଉକ୍ତ କେନ୍ଦ୍ରରେ ଗ୍ରାଫିକ୍ ଡିଜାଇନ, ସୋସିଆଲ ମିଡିଆ ମ୍ୟାନେଜର, ଡିଜିଟାଲ ମାର୍କେଟିଂ ମ୍ୟାନେଜର, ଭିଡିଓ ଏଡିଟିଂ, ସାଉଣ୍ଡ ଏଡିଟିଂ, ଭିଡିଓ ବ୍ଲଗର ଏବଂ ଡିଜିଟାଲ/ଷ୍ଟିଲ୍ ଫଟୋଗ୍ରାଫି ଇତ୍ୟାଦି ପାଠ୍ୟକ୍ରମ ପ୍ରଦାନ କରାଯିବ । ସେହିପରି ଏଚଭିଏସି ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ହିଟିଂ, ଭେଣ୍ଟିଲେସନ ଏବଂ ଏୟାର କଣ୍ଡିସନିଂ ଉପରେ ପାଠ୍ୟକ୍ରମ ପ୍ରଦାନ କରିବ । ଏହି କେନ୍ଦ୍ରଟି ଯୁବବର୍ଗଙ୍କୁ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରାଇବା ପାଇଁ ଦକ୍ଷ କରାଇବ । ଏହି ପଦକ୍ଷେପ ଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହ ସେମାନଙ୍କ ଜୀବିକା ବୃଦ୍ଧି ହେବ । ସେମାନେ ଉଦ୍ୟୋଗୀ ହେବା ପାଇଁ ସମର୍ଥ ହୋଇପାରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଦ୍ରତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା ଆଧାରିତ ଆବିଷ୍କାର ଅଧିକ ହୋଇଛି । ଡିଜିଟାଲ ଯୋଗାଯୋଗ ଓ ନେଟଓ୍ୱାର୍କ ସୁଦୃଢ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବଶକ୍ତିଙ୍କୁ ସମୟକୁ ଆଗକୁ ଦେଖିବା ପାଇଁ ଆହ୍ୱାନ କରିଛନ୍ତି । ଆଜିର ଦିନରେ ଏହାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି । ଆଜି ଦେଶର ୮୦ କୋଟି ନାଗରିକ ତଥା ସମଗ୍ର ଜନସଂଖ୍ୟାର ୬୫ ପ୍ରତିଶତ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି । ଆଗାମୀ ଦିନରେ ସମସ୍ତ ବିଷୟକୁ ସ୍ମାର୍ଟ କରିବା । ବିଶେଷତଃ ଲାଭାର୍ଥୀଙ୍କୁ ପାରଦର୍ଶୀ ଉପାୟରେ ସବୁ ସୁବିଧାରେ ମିଳୁ, ଏହା ଆମର ମେକାନିଜିମ ହେବା ଦରକାର ।

ସେ ଆହୁରି କହିଛନ୍ତି ଯେ ଭାରତରେ ମୋବାଇଲରେ ରିଲ୍ସ ବନୁଛି । ତେବେ ଆସନ୍ତା ଦିନ ଗୁଡ଼ିକରେ ରିଲ୍ସ କେବଳ ମନୋରଞ୍ଜନ ପାଇଁ ନୁହେଁ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାର ମାଧ୍ୟମ ହେବ । ସାମଗ୍ରୀକୁ ନେଣଦେଣ କରିବାର ବ୍ୟବସ୍ଥା ଭାରତରେ ଶସ୍ତା ହେବ ଏବଂ ବ୍ୟାପକ ହେବ । ବିଶେଷତଃ ଯେତେବେଳେ ଦେଶରେ ଡିଜିଟାଲ ଭିତ୍ତିଭୂମି ସୁଦଋଡ ହୋଇଛି ଏବଂ ସ୍କିଲ ଇଣ୍ଡିଆ ଆପ୍, ଅପାର ଆଇଡି, ଡିଜି ଲକର ଭଳି ପ୍ଲାଟଫର୍ମ ତିଆରି ହୋଇଛି ଏବଂ ସେମିକଣ୍ଡକ୍ଟରର ନୂଆ ଦୁନିଆ ବନୁଛି, ଦେଶର ବଜାରରେ କ୍ରୟ କରିବାର କ୍ଷମତା ବଢୁଛି ସେ ସମୟରେ ଆମକୁ କ୍ରମାଗତ ଭାବରେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବା ପାଇଁ ପଡିବ । ବିକଶିତ ଭାରତ ନିର୍ମାଣ କରିବା ପାଇଁ ହେଲେ ଏହି ସବୁକୁ ଅନୁସରଣ କରିବା ପାଇଁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନିଜବଡ୍ ଏବଂ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଶ୍ରମ ମନ୍ତ୍ରଣାଳୟ ଓ ଇପିସିଏଚ, ଡାରେକ୍ଚରେଟ୍ ଜେନେରାଲ ଅଫ୍ ଟ୍ରେନିଂ(ଡିଜିଟି) ଓ ଫ୍ୟୁଚର୍ ରାଇଟ୍ସ ସ୍କିଲ୍ ନେଟଓ୍ୱାର୍କ ସହ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହାସହ ସ୍କିଲ୍ ଇଣ୍ଡିଆ ଓ ପିଏମକେଭିଓ୍ୱାଇ ଅନ୍ତର୍ଗତ ପିଏମ ବିଶ୍ୱକର୍ମା ଅନ୍ତର୍ଗତ ଶିଳ୍ପ ସମୂହଙ୍କ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ ପାଇଁ ବୁଝାମଣା ହୋଇଛି । ଏଆଇ ଏବଂ ଅନ୍ୟାନ୍ୟ ସୀମାନ୍ତ କ୍ଷେତ୍ରରେ ୪ଟି ନ୍ୟୁ ଏଜ୍ କୋର୍ସର ଶୁଭାରମ୍ଭ ହୋଇଛି । ଏହି ଦକ୍ଷତାଭିତ୍ତିକ ପଦକ୍ଷେପ ଗୁଡିକ ଏବଂ ବୁଝାମଣା ଆମ ଜନସଂଖ୍ୟାକୁ ଏକବିଂଶ ଶତାବ୍ଦୀର ନିଯୁକ୍ତି ପାଇଁ ପ୍ରସ୍ତୁତ କରିବ । ସେମାନଙ୍କୁ ଉଦ୍ଭାବକ ଏବଂ ଉଦ୍ୟୋଗୀ ଭାବରେ ବିକଶିତ କରିବାରେ ସାହାଯ୍ୟ କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Leave A Reply

Your email address will not be published.