ନୂଆଦିଲ୍ଲୀ: ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ । ରାଣୀ ଝାନ୍ସି ଫ୍ଲାଇଓଭର ସହ ଜଡିତ ବ୍ୟାପକ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ତଥା ଡିଏଏନଆସିଏସ କ୍ୟାଡର ଅଧିକାରୀ ରାଜ କୁମାରଙ୍କୁ ନିଲମ୍ବିତ କରିଛି ଗୃହ ମନ୍ତ୍ରଣାଳୟ । ଏହି ମାମଲାରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ ସର୍ଭିସ ଅଧିକାରୀ ରାଜ କୁମାର ଗୃହମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କହିଛନ୍ତି ଯେ, ତାଙ୍କୁ ପୁରୁଣା ମାମଲାରେ ନିଲମ୍ବନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇ ନାହିଁ।ରାଜ କୁମାର କହିଛନ୍ତି ଯେ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୋର ନିଲମ୍ବନ ନେଇ ନିର୍ଦ୍ଦେଶ ପାଇଛି । ଏହା ଏକ ପୁରୁଣା ମାମଲା ଏବଂ ମୋତେ ମୋ ପକ୍ଷ ଉପସ୍ଥାପନ କରିବାକୁ କୌଣସି ସୁଯୋଗ ଦିଆଯାଇନାହିଁ । ତେଣୁ ମୋର ଆଉ କିଛି କହିବାର ନାହିଁ । ଗୃହ ମନ୍ତ୍ରଣାଳୟ ଦ୍ୱାରା ଗତ ଏପ୍ରିଲ ୧୬ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କୁମାରଙ୍କ ବିରୋଧରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଇଛି ।
ସୂଚନା ଅନୁସାରେ, ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ପ୍ୟାନେଲର ସୁପାରିଶ ପରେ ସେପ୍ଟେମ୍ବର ୨୦୨୩ ରେ ସିଭିଲ ସର୍ଭିସେସ୍ ଅଥରିଟି ଦିଲ୍ଲୀ ବିଧାନସଭା ସଚିବଙ୍କୁ ନିଲମ୍ବନ କରିବାକୁ ସୁପାରିଶ କରିଥିଲା। ବର୍ତ୍ତମାନ ରାଜ କୁମାରଙ୍କୁ DANICS ରୁ ନିଲମ୍ବିତ କରାଯାଇଛି ।
କହିରଖୁଛୁ ଯେ, ରାଜ କୁମାରଙ୍କ ନିଲମ୍ବନ ୧.୮ କିଲୋମିଟର ଲମ୍ବା ରାଣୀ ଝାନ୍ସି ଫ୍ଲାଏ ଓଭର ନିର୍ମାଣ ସହ ଜଡିତ ଅନିୟମିତତା କାରଣରୁ ହୋଇଛି । ଏହି ଫ୍ଲାଏଓଭର ଉତ୍ତର ଦିଲ୍ଲୀର ଫିଲ୍ମିସ୍ତାନ ସିନେମା ହଲକୁ ସେଣ୍ଟ ଷ୍ଟିଫେନ ହସପିଟାଲ ସହ ସଂଯୋଗ କରିଛି। ଏହା ସହିତ ୭୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫ୍ଲାଏ ଓଭର ଦୁର୍ନୀତି ଅଭିଯୋଗ ଏବଂ ଜମି ଅଧିଗ୍ରହଣ ସହ ଜଡିତ ସମସ୍ୟା ହେତୁ ବିଳମ୍ବ ହୋଇଥିଲା। ପ୍ରାୟ ୨୦ ବର୍ଷ ବିଳମ୍ବ ପରେ ଉକ୍ତ ଫ୍ଲାଏଓଭରଟିକୁ ୨୦୧୮ରେ ସର୍ବସାଧାରଣ ବ୍ୟବହାର ପାଇଁ ଖୋଲା ଯାଇଥିଲା |