ଯାଜପୁରର ସ୍ୱାଭିମାନ ମାଟି କ୍ରୀତଦାସ ମାନଙ୍କୁ କରିବ ପ୍ରତ୍ୟାଖ୍ୟାନ – ଧର୍ମେନ୍ଦ୍ର ପ୍ରଧାନ
• ଯାଜପୁର, ବରୀ ଓ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ
• ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମଭୂମି ଓ ମହାତ୍ମା ଗାନ୍ଧୀ ଆଗମନ କରିଥିବା ଯାଜପୁର ମାଟିର ଜଣେ ତାମିଲର କ୍ରୀତଦାସ କରିବା ଦୁଃଖର ବିଷୟ
• ଯାଜପୁର ଓ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରି ଚୀନକୁ ବିକ୍ରି କରିବା ପାଇଁ ବ୍ଲାକରୋଜକୁ କିଏ ମାଧ୍ୟମ କରିଥିଲା ?
• ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଜାଗିର କିମ୍ବା ବ୍ୟକ୍ତିଗତ ଜମିଦାରୀ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ତାମିଲ ଗୁମାସ୍ତା ମାଡ଼ି ବସିବ କି ?
• ମୁଖ୍ୟମନ୍ତ୍ରୀ ବିଏସକେୱାଇ ଠିକରେ କହି ପାରୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଭଡ଼ାଟିଆଙ୍କ ମାଇକ ଦରକାର ପଡୁଛି
• ଯାଜପୁରରେ ଯୋର୍ ଜବରଦସ୍ତ ଜମି ଅଧିଗ୍ରହଣ ହେଉଛି
• ଦୀର୍ଘ ୨୫ ବର୍ଷ ଶାସନରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାରର ବଡ ସମସ୍ୟା ରହିଛି
• ବିଜେପି ସରକାର ହେଲେ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ ସହ ସବୁ ପ୍ରକାର ମୌଳିକ ସୁବିଧା ଦିଆଯିବ
• ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦,୦୦୦ ଟଙ୍କା ମୂଲ୍ୟର ଭାଉଚର ଦିଆଯିବ
ଯାଜପୁର/ବରୀ/ସୁକିନ୍ଦା, ମଇ ୩୦ – ଯାଜପୁର ହେଉଛି ସ୍ୱାଭିମାନ ମାଟି । ଏହି ଭୂମି କ୍ରୀତଦାସ ମାନଙ୍କୁ ପ୍ରତ୍ୟାଖ୍ୟାନ କରି ଓଡ଼ିଆ ଲୋକଙ୍କୁ ନେତୃତ୍ୱ ଦେବ ବୋଲି ଗୁରୁବାର ଯାଜପୁର ସଂସଦୀୟ କ୍ଷେତ୍ରର ଯାଜପୁର, ବରୀ ଓ ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମଭୂମି ଯାଜପୁରକୁ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଆଗମନ କରିଥିଲେ । ଆଜି ଏହି ଭୂମିର ଜଣେ ତାମିଲ ପାଖରେ ଦାସତ୍ୱ କରିବା ଦୁଃଖର ବିଷୟ । ଯାଜପୁର ଓ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରି ଚୀନକୁ ବିକ୍ରି କରିବା ପାଇଁ ବ୍ଲାକରୋଜକୁ କିଏ ମାଧ୍ୟମ କରିଥିଲା ? ଏ ଘଟଣା ତଦନ୍ତ ପରିସରଭୁକ୍ତ ଥିବାବେଳେ ବ୍ଲାକରୋଜ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଜେଲ୍ ପଠାଯିବ । ଯାଜପୁର ଭୂମି ଆଜି ଜଣେ କ୍ରୀତଦାସକୁ ନୁହେଁ ବରଂ ଜଣେ ସ୍ୱାଭିମାନୀ ଓଡ଼ିଆଙ୍କୁ ନେତୃତ୍ୱ ଦେବ । ଓଡ଼ିଆ ସାମ୍ରାଜ୍ୟ, ଓଡ଼ିଆ ପରାକାଷ୍ଠା, ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶା ଅସ୍ମିତାର ତୀର୍ଥସ୍ଥଳର ପ୍ରତିନିଧି ଜଣେ ଓଡ଼ିଆ ହେବ ।
ସେ କହିଛନ୍ତି ଯେ ଆଜି ଯାଏ ଚିଟଫଣ୍ଡ ପଇସା ମିଳିଲା ନାହିଁ କି ଚିଟଫଣ୍ଡ୍ ଚୋର ଜେଲକୁ ଗଲା ନାହିଁ । ବିଜେପି ସରକାର ହେଲେ ପଇସା ମିଳିବ ଓ ଚୋର ଜେଲ ବି ଯିବେ । ଯେତେ ପ୍ରତିପତ୍ତିଶାଳୀ ହୁଅନ୍ତୁ ନା କାହିଁକି, ସେମାନେ ଜେଲ ଯିବା ଥୟ । ଯାଜପୁରରେ ବିକାଶ ନାଁରେ ସରକାରୀ ନିୟମ ନମାନି ଜମି ଅଧିଗ୍ରହଣ କରାଯାଉଛି । ବୁଝାମଣା ମାଧ୍ୟମରେ ଜମି ଅଧିଗ୍ରହଣ ହେଉଛି । ଲୋକଙ୍କୁ ଡରାଇ ଧମକାଇ, ଜୋର୍ ଜବରଦସ୍ତ ଜମି ଅଧିଗ୍ରହଣ କରାଯାଉଛି । ଯାଜପୁର ଜିଲ୍ଲାରେ ଯାହା ଜମି ଅଧିଗ୍ରହଣ ହେବ, ନିୟମ ଅନୁସାରେ ୪ ଗୁଣା କ୍ଷତି ପୂରଣ ଦିଆଯାଇ ଜମି ଅଧିଗ୍ରହଣ ହେବ । ଏ ଅନ୍ୟାୟ ଅତ୍ୟାଚାରକୁ ବନ୍ଦ କରିବାର ସମୟ ଆସିଛି ।
ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଜାଗିର କିମ୍ବା ବ୍ୟକ୍ତିଗତ ଜମିଦାରୀ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ତାମିଲ ଗୁମାସ୍ତା ମାଡ଼ି ବସିବ କି ? ଏହା ସାଢ଼େ ୪ କୋଟି ଓଡ଼ିଶା ଲୋକଙ୍କୁ ଅପମାନ । ମୁଖ୍ୟମନ୍ତ୍ରୀ ପଦକୁ ଅପମାନ । ମୁଖ୍ୟମନ୍ତ୍ରୀ ବିଏସକେୱାଇ ଠିକରେ କହି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଭଡ଼ାଟିଆଙ୍କ ମାଇକ ଦରକାର ପଡୁଛି । ମୁଖ୍ୟମନ୍ତ୍ରୀଙ୍କୁ କଣ ସାଢ଼େ ୪ କୋଟି ଓଡ଼ିଆକୁ ଭିତରୁ ଜଣେ ବି କେହି ଉତ୍ତରାଧିକାରୀ ମିଳିଲେ ନାହିଁ । ଗୋଟେ ତାମିଲନାଡୁର ଭଡ଼ାଟିଆ ଗୁମାସ୍ତାକୁ ଉତ୍ତରାଧିକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଡାକି ଆଣିଲେ । ଏ ସବୁ ଦେଖି ଓଡ଼ିଆ ଲୋକ ଚୁପ୍ ରହିବେ ନାହିଁ ।
ଦୀର୍ଘ ୨୫ ବର୍ଷ ଶାସନରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାରର ବଡ ସମସ୍ୟା ରହିଛି । ଶୀତଳ ଭଣ୍ଡାର ନାହିଁ । ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଯେଉଁ ୨୫ ବର୍ଷର ସରକାରରେ ମୌଳିକ ସୁବିଧା ମିଳେନାହିଁ, ମହିଳାଙ୍କ ସୁରକ୍ଷା ପ୍ରଶ୍ନବାଚୀରେ ଅଛି, ମାଟ୍ରିକ୍ ଡ୍ରପଆଉଟ ହାର ବୃଦ୍ଧି ପାଉଛି, ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପରିବର୍ତ୍ତେ ନାଚ ଗୀତରେ ପଇସା ଖର୍ଚ୍ଚ କରାଯାଉଛି, ସେ ସରକାରକୁ ଲୋକମାନେ ନିଶ୍ଚୟ ବଦଳାଇବେ । ବିଜେପି ସରକାର ହେଲେ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ ସହ ସବୁ ପ୍ରକାର ମୌଳିକ ସୁବିଧା ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦,୦୦୦ ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଏହି ଅର୍ଥକୁ ସେମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିବେ । ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।