ଭୁବନେଶ୍ବର: ନିର୍ବାଚନ ପ୍ରଚାର ବେଳେ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ହେଲେ ଶୁକ୍ରବାର ଯୋଜନାର ଏସଓପି ଜାରି କରିବା ପରେ ବିଜେପି ସରକାରକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ। ସୁଭଦ୍ରା ପ୍ରତିଶ୍ରୁତି ଦେଇ ରାଜ୍ୟର ମହିଳାଙ୍କୁ ବିଜେପି ଠକି ଦେଇଥିବା ବିଜେଡି ଓ କଂଗ୍ରେସ କହିଛନ୍ତି । ବର୍ଷକୁ ୧୦ହଜାର ଓ ଦିନକୁ ୮୩୩ଟଙ୍କାରେ ମହିଳାମାନେ କିଭଳି ସଶକ୍ତ ହେବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ସେପଟେ ଯୋଜନା ଲୋକଙ୍କ ପାଇଁ ଉପଯୋଗୀ ହେବ ବୋଲି ବିଜେପି କହିଛି ।
କହିଥିଲେ କଣ…ଦେଲେ କଣ ?
ନିର୍ବାଚନ ବେଳେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ବର୍ଷକୁ ଦୁଇଟି କିସ୍ତିରେ ୫ହଜାର ହିସାବରେ ୫ବର୍ଷରେ ୧୦ଟି କିସ୍ତିରେ ମହିଳାଙ୍କୁ ୫୦ହଜାର ଟଙ୍କା ଦେବେ ବୋଲି ଏସଓପିରେ ଘୋଷଣା କରିଛନ୍ତି । ଏଭଳି ହେଲେ ମହିଳାମାନେ ମାସକୁ ୮୩୩ ଟଙ୍କା ମିଳିବ। ଏଥିରେ କିଭଳି ମହିଳା ସଶକ୍ତିକରଣ ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ସେହିପରି ପ୍ରତି ମହିଳାଙ୍କୁ ସାମିଲ କରିବାକୁ ବିଜେପି କହିଥିବା ବେଳେ ଯୋଜନାରେ ଥିବା ସର୍ତ୍ତ ଅନୁସାରେ ସର୍ବାଧିକ ୭୦ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ । ସ୍ବାବଲମ୍ବୀ ହେବାକୁ ସ୍ବପ୍ନ ଦେଖୁଥିବା ମହିଳା ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରୁ କି ଲାଭ ପାଇବ ବୋଲି ବିଜେଡି ପ୍ରଶ୍ନ କରିଛି ।
ମହିଳାଙ୍କୁ ଠକିଛି ବିଜେପି !
ଆର୍ଥିକ ସ୍ବଚ୍ଛଳ, ସରକାରୀ ଚାକିରି କରୁଥିବା ତଥା ଆୟକର ଦେଉଥିବା ମହିଳା ଯୋଜନାରେ ସାମିଲ ହୋଇପାରିବେନି । ଏପରିକି କୌଣସି ସରକାରୀ ଯୋଜନାରେ ମାସକୁ ୧୫ଶହ ବା ବର୍ଷକୁ ୧୮ହଜାର ଟଙ୍କା ପାଉଥିଲେ ବି ଯୋଜନାର ଲାଭ ପାଇବେନି । ତେଣୁ ଜଣେ ଆଶାକର୍ମୀ କି ପାଚିକାଙ୍କ ଭଳି ଅଳ୍ପ ବେତନ ପାଉଥିବା ମହିଳା ବି ଯୋଜନାରେ ସାମିଲ ହୋଇପାରିବେନି । ବିଜେଡି ଏହାକୁ ଧୁଆଁବାଣ କହିଛି ତ କଂଗ୍ରେସ ଯୋଜନା ଦ୍ବାରା ବିଜେପି ସରକାର ମହିଳାଙ୍କୁ ପ୍ରତାରଣା କରିଥିବା କହିଛି । ସେପଟେ ମହିଳାଙ୍କୁ ଏକକାଳୀନ ୫୦ହଜାର ଦେଲେ ରାଜ୍ୟ ସରକାରଙ୍କ ଉପରେ ବୋଝ ପଡିବ । ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଉପଯୋଗୀ ହେବ । ଲୋକାଭିମୁଖୀ ଯୋଜନାକୁ ନେଇ ବିରୋଧୀ ଚିନ୍ତାରେ ରହିଥିବା ବିଜେପି କହିଛି ।
୨୭ଟଙ୍କାରେ ସଶକ୍ତୀକରଣ ସ୍ବପ୍ନ !
୫ବର୍ଷରେ ୫୦ହଜାର ଟଙ୍କା ଦେବାକୁ ଏସଓପି ଜାରି କରିଥିବା ବିଜେପି ସରକାର ଦିନକୁ ସୁଭଦ୍ରା ହିତାଧିକାରୀଙ୍କୁ ମାତ୍ର୨୭ଟଙ୍କା ଦେବ । ଏକାସାଙ୍ଗରେ ଟଙ୍କା ମିଳିଥିଲେ ଏହାକୁ ବ୍ୟବସାୟରେ ନିବେଶ କରି ସ୍ବାବଲମ୍ବୀ ହେବାକୁ ସ୍ବପ୍ନ ଦେଖୁଥିବା ମହିଳା ଏସଓପି ଦେଖି ନିରାଶ ହୋଇଛନ୍ତି । ମାସକୁ ୮ଶହ ଟଙ୍କା ତେଲ ଲୁଣରେ ସରିଯିବ । ତେଣୁ ବିଜେପି ସରକାରକୁ ଜୁମଲା ସରକାର କହିଛି ବିଜେଡି । ନିର୍ବାଚନ ବେଳେ ଦଳ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଛି । ଭୋଟ୍ ପାଇଁ ଭତ୍ତା ହେଉ କି ସୁଭଦ୍ରା, ଯେଉଁ ଲଲିପପ ଧରେଇଥିଲା ବିଜେପି, ଏବେ ତାର ପର୍ଦ୍ଦାଫାସ ହୋଇଥିବା ବିଜେଡି କହିଛି । ସେପଟେ ଯୋଜନାରେ ଅନେକ ମହିଳା ବଞ୍ଚିତ ହେବେ । ସୁଭଦ୍ରା ଯୋଜନାକୁ ନେଇ ବି ସାଧାରଣରେ ବି ସନ୍ଦେହ ଦେଖାଦେଉଛି । ୬୦ବର୍ଷରୁ ଅଧିକ ମହିଳା କାହିଁକି ଯୋଜନାରେ ସାମିଲ ହେବେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଭତ୍ତା ହେଉ କି ସୁଭଦ୍ରା, ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି । ନିର୍ବାଚନ ବେଳେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ନହେଲେ ଜନ ଅସନ୍ତୋଷ ଦେଖାଦେବ । ଭତ୍ତାକୁ ନେଇ ଲୋକ ଅସନ୍ତୁଷ୍ଟ ହୋଇଥିବା ବେଳେ ସୁଭଦ୍ରା ଯୋଜନାର ରୂପରେଖ ନେଇ ବି ଅସନ୍ତୋଷ ଦେଖାଦେଲାଣି । ତେଣୁ ବିଜେପି ସରକାର ନିଜ ସପକ୍ଷରେ ଜନମତ ରଖିବାକୁ ଚାହିଁଲେ ଲୋକଙ୍କ ସ୍ବାର୍ଥକୁ ଆଗକୁ ରଖି ଚିନ୍ତା କରିବାକୁ ପଡିବ ।